କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା କିରନ କୁମାର କରିବେ ଓଲିଉଡ ଫିଲ୍ମ । ଅଫର ମିଳିଲେ ନିଶ୍ଚୟ ଓଡ଼ିଆ ଫିଲ୍ମ କରିବେ ବୋଲି ଓଡିଶା ରିଜିଓନାଲ ବିଜନେସ୍ ୱିକ୍ -୨୦୨୨ରେ କହିଛନ୍ତି କିରନ କୁମାର । ଆଉ ଏଥିପାଇଁ ପାରିଶ୍ରମିକ ବାବଦକୁ ଅଧିକ ଟଙ୍କା ନେବିନି । ଫିଲ୍ମ ବଜେଟ ଅନୁଯାୟୀ ମୁଁ ପାରିଶ୍ରମିକ ନେବି । କିନ୍ତୁ ଓଡ଼ିଆ ଫିଲ୍ମ କରିବା ପୂର୍ବରୁ କିଛି ସର୍ତ୍ତ ରଖିଛନ୍ତି କିରନ । ସେ କହିଛନ୍ତି, ଓଡ଼ିଆ ଫିଲ୍ମରେ ଛୋଟ ରୋଲ କରିବିନି । ଏହାଛଡା ମାସକ ପୂର୍ବରୁ ମୋତେ ସ୍କ୍ରିପ୍ଟ ପଠାଇବାକୁ ପଡିବ । ଯାହାଦ୍ୱାରା ମୁଁ ନିର୍ଭୁଲ ଭାବେ ଯେପରି ଓଡ଼ିଆ କହିପାରିବି । କାରଣ ମୋ ଅଭିନୀତ ଚରିତ୍ରରେ ଆଉ କିଏ ଭଏସ ଡବିଂ କରୁ ମୁଁ ଚାହେଁନି । ଏହାଛଡା ସବୁଠୁ ବଡ ସର୍ତ୍ତ ରଖିଛନ୍ତି, ଓଡ଼ିଶାକୁ ଫିଲ୍ମ କରିବାକୁ ଆସିଲେ ମୋତେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶକ କରାଇବାକୁ ନେବାକୁ ପଡିବ । କାରଣ ମୁଁ ଆଧ୍ୟାତ୍ମିକତାକୁ ଭଲ ପାଉଥିବା ଲୋକଟିଏ । ଏହାଛଡା ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ମୋ ଭିତରେ ଦୁର୍ବଳତା ଥାଏ । ଯେତେବେଳେ ଓଡ଼ିଶା ଆସେ ମହାପ୍ରଭୁଙ୍କ ଦର୍ଶନ ନିଶ୍ଚୟ କରେ ।
ଓଡିଶା ରିଜିଓନାଲ ବିଜନେସ୍ ୱିକ୍ -୨୦୨୨ । ବଲିଉଡର ବରିଷ୍ଠ ଅଭିନେତା କିରନ କୁମାର ଯୋଗ ଦେଇ କହିଲେ, ମଞ୍ଚ ମୋ ପାଇଁ ମଞ୍ଚ ନୁହେଁ ଏହା ମୋ ପାଇଁ ମନ୍ଦିର । ଯାହା ବି କିଛି କର ମନପ୍ରାଣ ଦେଇ କର । #KiranKumar#KanakNewsConclave#OdishaRegionalBusinessWeek#Odishapic.twitter.com/Z4vPorF1aE
— Kanak News (@kanak_news) April 11, 2022
ମୁଁ ବ୍ୟବସାୟୀ ନୁହେଁ କିନ୍ତୁ ମୋର ଗ୍ରାହକ ପୂରା ଦେଶବାସୀ । ମୋତେ ଯେଉଁ ସଫଳତା ମିଳିଛି ତାହା ବାପା-ମା’ଙ୍କ ଆଶୀର୍ବାଦ । ମଞ୍ଚ ମୋ ପାଇଁ ମଞ୍ଚ ନୁହେଁ ଏହା ମୋ ପାଇଁ ମନ୍ଦିର । ଯାହା ବି କିଛି କର ମନପ୍ରାଣ ଦେଇ କରେ । ଆଉ ଏଥିପାଇଁ ମୋତେ ସଫଳତା ମିଳିଛି । ୫୦ ବର୍ଷ ଧରି ମୁଁ ସିନେଜଗତରେ ରହିବା ପଛର ବଡ କାରଣ ହେଉଛି ମୁଁ ଏହି କାମକୁ ଭଲପାଉଛି । କାମକୁ ଭଲ ପାଇଲେ ସଫଳତା ନିଶ୍ଚୟ ମିଳିବ । ଯେତେବେଳେ ତୁମେ କାମକୁ ଭଲପାଅ, ସେତେବେଳେ ଅର୍ଥ ଆପଣାଛାଏଁ ଆସିଯାଏ । ଏହାଛଡା କିରନ କହିଛନ୍ତି, ଓଡ଼ିଶାରେ ଫିଲ୍ମ ନିର୍ମାଣ ପାଇଁ ଭଲ ଭିତ୍ତିଭୂମି ରହିଛି । ପରିବାର ବସି ଦେଖିପାରୁଥିବା ଭଳି ଫିଲ୍ମ କରିବାର ଆବଶ୍ୟକତା ରହିଛି । ଓଡ଼ିଶା ସରକାର ବେଶ ଭଲ କାମ କରୁଛନ୍ତି । ଯେଉଁଥିପାଇଁ ଏତେବର୍ଷ ଧରି କ୍ଷମତାରେ ରହିଛନ୍ତି । ଓଡ଼ିଶା ପାଇଁ ମୋର ଯେବେ ବି ଆବଶ୍ୟକତା ପଡିବ ମୋତେ ଥରେ କହିଦେଲେ ବିନା ପାରିଶ୍ରମିକରେ ଆସି କରିବି ।