କନକ ବ୍ୟୁରୋ: ସେପ୍ଟେମ୍ବର ୩ରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ଯେଉଁଥିରେ କି ଓଡିଶାରେ ଖାଲି ପଡିଥିବା ଗୋଟିଏ ଆସନ ପାଇଁ ମଧ୍ୟ ନିର୍ବାଚନ ହେବ । ତେବେ ମମତା ମହନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ, ତାଙ୍କ ସ୍ଥାନରେ ନୂଆକରି କିଏ ରାଜ୍ୟସଭାକୁ ଯିବ ତାକୁ ନେଇ ବଢିଛି ଚର୍ଚ୍ଚା ଆଲୋଚନା । ଆଉ ଏହାରି ଭିତରେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରଧାନ ଦେଇଛନ୍ତି ବଡ ବୟାନ ।

ଏଥର ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ନିଶ୍ଚିତ । ବିଜୟ ପାଇଁ କାହାର ସମର୍ଥନ ବି ଆବଶ୍ୟକତା ପଡିବ ନାହିଁ ବୋଲି ସେ କହିଛନ୍ତି । ଏଥିସହ ସେ ମଧ୍ୟ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ସହ ମାହାଙ୍ଗାର ଏହି ସ୍ୱାଧୀନ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ରାଜ୍ୟ ରାଜନୀତିର ପରିସ୍ଥିତି ଦେଖି ନିର୍ବାଚନ ଅପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଅନୁମାନ କରୁଛନ୍ତି । କାହିଁକି ନା ପୂର୍ବରୁ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚନରେ ମଧ୍ୟ କୌଣସି ବି ବିରୋଧୀ ଦଳ ନିର୍ବାଚନରେ ଅବତୀର୍ଣ୍ଣ ହେଇନଥିଲେ । ତେଣୁ ରାଜ୍ୟସଭା ନିର୍ବାଚନରେ ମଧ୍ୟ ବିଜେପିର ବିଜୟ ସୁନିଶ୍ଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୩ରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ । ଓଡିଶା ସମେତ ଦେଶର ୯ ରାଜ୍ୟରେ ଖାଲି ପଡିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ପଡିବ ଭୋଟ୍ । ଏନେଇ ନିର୍ବାଚନ ଆୟୋଗ ବୁଧବାର ତାରିଖ ଘୋଷଣା କରିଛନ୍ତି । ତେବେ ସଂଖ୍ୟା ବଳ ଦୃଷ୍ଟିରୁ ବିଜେପି ସମର୍ଥିତ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପକ୍କା । ତେଣୁ ଓଡିଶାରେ ଏଥର କିଏ ରାଜ୍ୟସଭା ପ୍ରାର୍ଥୀ ହେଉଛି ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ବର୍ତ୍ତମାନ ରାଜ୍ୟସଭା ରେସରେ ନିଜେ ମମତା ମହନ୍ତଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହିତ ନିଜେ ମମତା ମହନ୍ତ ମଧ୍ୟ ରେସରେ ରହିଛନ୍ତି । ତେଣୁ କିଏ ରାଜ୍ୟସଭା ପାଇଁ ବିଜେପି ଟିକେଟ୍ ହାତଉଛି, ତାହା ଦେଖିବାକୁ ବାକି ରହିଲା ।