ପ୍ରତିକ୍ରିୟା ରଖିଲେ କଙ୍ଗନା ରଣାୱତ: ଇଂଷ୍ଟାଗ୍ରାମରେ କହିଲେ, ଭୁଲ କହିଥିଲେ ପଦ୍ମଶ୍ରୀ ସମ୍ମାନ ଫେରାଇଦେବି 

497

କନକ ବ୍ୟୁରୋ: ଭାରତ ସ୍ୱାଧିନତା ଉପରେ ବିବାଦୀୟ ବୟାନ ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି । ବିଭିନ୍ନ ମହଲରୁ ସମାଲୋଚନାର ଶୀକାର ହେଉଛନ୍ତି ବଲିଉଡ୍ କୁଇନ୍ । ଆଉ ଯାହାକୁ ନେଇ ସଫେଇ ଦେଇଛନ୍ତି କଙ୍ଗନା । ନିଜ ଇଂଷ୍ଟାଗ୍ରାମ୍ରେ ସଫେଇ ରଖି ସ୍ୱାଧିନତା ସମୟର କିଛି ତଥ୍ୟ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ମୁଁ ଭୁଲ ହୋଇଥିଲେ ପଦ୍ମଶ୍ରୀ ଫେରାଇ ଦେବି ।

ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହେବା ପରେ ଏବେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ନିଜ ଇଂଷ୍ଟାଗ୍ରାମ ଷ୍ଟୋରି ଜରିଆରେ ସ୍ୱାଧିନତା ସମୟର କିଛି ତଥ୍ୟ ସେୟାର କରି କଙ୍ଗନା କହିଛନ୍ତି, ମୁଁ ଯଦି ଭୁଲ ହୋଇଥାଏ ତାହାଲେ ପଦ୍ମଶ୍ରୀ ଫେରାଇ ଦେବି । କଙ୍ଗନା ଲେଖିଛନ୍ତି – 

“ ମୁଁ ଏକା ନୁହେଁ ଯିଏ, କଂଗ୍ରେସକୁ ଭିକାରୀ ବୋଲି କହୁଛି, ଇତିହାସରେ ଅନେକ ବଡ ବଡ ସ୍ୱାଧିନତା ସଂଗ୍ରାମୀ ମଧ୍ୟ କଂଗ୍ରେସକୁ ଭିକାରୀ ବୋଲି କହିଛନ୍ତି.. ୧୮୫୭ରେ ଯେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ ମୁଁ ଜାଣିଛି.. ମାତ୍ର ୧୯୪୭ରେ ଯେଉଁ ଯୁଦ୍ଧ ହୋଇଥିଲା, ସେ ବିଷୟରେ ମତେ କିଛି ଜଣା ନାହିଁ.. ଯେଉଁମାନେ ଜାଣିଛନ୍ତି ମତେ ଜଣେଇଦେଲେ ମୁଁ ମୋ ପଦ୍ମଶ୍ରୀ ଫେରାଇଦେବି ଆଉ କ୍ଷମା ମଧ୍ୟ ମାଗିବି..”

କଙ୍ଗନା ନିଜ ସୋସିଆଲ ମିଡିଆରେ ଆହୁରି ମଧ୍ୟ ଲେଖିଛନ୍ତି – 

“୧୮୫୭ରେ ରାଣୀ ଲକ୍ଷ୍ମୀବାଈଙ୍କ ସଂଗ୍ରାମକୁ ନେଇ ମୁଁ ମଧ୍ୟ ଏକ ଚଳଚ୍ଚିତ୍ରରେ ଅଭିନୟ କରିଛି.. ଆଉ ସେ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିଛି.. ରାଣୀ ଲକ୍ଷ୍ମୀ ବାଇ ଇଂରେଜଙ୍କ ସହ ଲଢେଇ କରି ପ୍ରାଣ ହରାଇଛନ୍ତି.. ହେଲେ ଗାନ୍ଧୀ କାହିଁକି ଭଗତ ସିଂହଙ୍କୁ ମରିବାକୁ ଦେଲେ.. କାହିଁକି ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଗାନ୍ଧୀଙ୍କ ସାହାର କେବେ ପାଇଲେନାହିଁ ଆଉ ମୃତ୍ୟୁବରଣ କଲେ.. ଭାରତ-ପାକିସ୍ତାନ ଭିତରେ ବିଭାଗର ରେଖା କାହିଁକି ଜଣେ ଗୋରା ବ୍ୟକ୍ତି ଟାଣିଲେ..ଏ ସବୁ ପ୍ରଶ୍ନର ଉତର ଦେଇଦେଲେ ମୁଁ ମୋ ପଦ୍ମଶ୍ରୀ ଫେରାଇ ଦେବି..”

ନିକଟରେ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଏକ ସାକ୍ଷାତ୍କାରବେଳେ କଙ୍ଗନା କହିଥିଲେ, ୧୯୪୭ରେ ଭାରତକୁ ଯେଉଁ ସ୍ୱାଧିନତା ମିଳିଥିଲା ତାହା ଭିକ୍ଷାରେ ମିଳିଥିଲା, ପ୍ରକୃତ ସ୍ୱାଧିନତା ତ ୨୦୧୪ରେ ମିଳିଛି । ଆଉ ତାଙ୍ଗର ଏହି ବୟାନକୁ ରାଜନୀତି ତେଜିବା ସହ ବିଭିନ୍ନ ମହଲରେ ତାଙ୍କୁ କଡା ନିନ୍ଦା କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ କଙ୍ଗାନଙ୍କ ବିରୋଧରେ ପ୍ରତିବାଦ ବି ଦେଖିବାକୁ ମିଳୁଛି । ଫଳରେ ନିଜ ସୋସିଆଲ ମିଡିଆ ଜରିଆରେ ସଫେଇ ରଖିଛନ୍ତି କଙ୍ଗନା ।