ଜେଲେନସ୍କିଙ୍କୁ କହିଦିଅ, ମୁଁ ବରବାଦ କରିଦେବି । ଶାନ୍ତି ପ୍ରସ୍ତାବର ସର୍ତ୍ତକୁ ନେଇ ତାତିଲେ ଋଷ ରାଷ୍ଟ୍ରପତି ।

440

କନକ ବ୍ୟୁରୋ  : ୟୁକ୍ରେନ୍-ଋଷ ଯୁଦ୍ଧକୁ ମାସେ ପୂରିଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ୟୁକ୍ରେନର ବଡ ବଡ ସହର ଉପରେ ଆକ୍ରମଣ କରି ଋଷ ଏହାକୁ ଛାରଖାର କରି ଦେଇଛି । ଯୁଦ୍ଧ ପାଇଁ ଅନେକ କଟକଣା ଋଷ ଉପରେ ଲାଗିଥିଲେ ମଧ୍ୟ ଏଥିରେ ପଛଘୁଞ୍ଚା ଦେଇନାହାନ୍ତି ପୁଟିନ । ବରଂ ଯୁଦ୍ଧକୁ ଆହୁରି ପ୍ରଚଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ । ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଏବେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଶାନ୍ତି ପ୍ରସ୍ତାବ ପଠାଇବା ଆରମ୍ଭ କରିଛନ୍ତି ।

ଋଷର ବିତ୍ତଶାଳୀ ବ୍ୟକ୍ତି ତଥା ବ୍ରିଟେନର ଚେଲସି କ୍ଲବର ମାଲିକ ରୋମନ ଆବ୍ରାମୋଭିଚ ଏହି ଶାନ୍ତି ପ୍ରସ୍ତାବର ଦୂତ ସାଜି ଋଷ ରାଷ୍ଟ୍ରପତି ପୁଟିନଙ୍କୁ ନିକଟକୁ ଆସିଥିଲେ ମଧ୍ୟ ଏହା ସଫଳ ହୋଇନାହିଁ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଇଥିବା ଶାନ୍ତି ପ୍ରସ୍ତାବ ଋଷ ରାଷ୍ଟ୍ରପତି ଗ୍ରହଣ କରିନଥିବା ବେଳେ ଏହାର ଜବାବରେ କହିଛନ୍ତି ଜେଲେନସ୍କିଙ୍କୁ ମୁଁ ବରବାଦ କରିଦେବି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋମନ ଆବ୍ରାମୋଭିଚଙ୍କ ହାତରେ ଜେଲେନସ୍କି ଯେଉଁ ଶାନ୍ତି ପ୍ରସ୍ତାବ ଦେଇଥିଲେ ସେଥିରେ ଯୁଦ୍ଧ ସମାପ୍ତ କରିବାକୁ ସମସ୍ତ ପ୍ରକାର ସର୍ତ୍ତ ଉଲ୍ଲେଖ ରହିଥିଲା । କିନ୍ତୁ ଏହି ସର୍ତ୍ତକୁ ଗ୍ରହଣ କରିନଥିଲେ ପୁଟିନ । ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ଜେଲେନସ୍କି ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ପୁଟିନଙ୍କୁ ଏହା ପ୍ରଭାବିତ କରି ପାରିନଥିଲା ।

ତେବେ ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମାପ୍ତ ସହ  ଶାନ୍ତି ପ୍ରତିଷ୍ଠା ପାଇଁ ରୋମନ ଆବ୍ରାମୋଭିଚଙ୍କୁ ମଧ୍ୟସ୍ଥତା କରିବା ମହଙ୍ଗା ପଡିଥିବା କୁହାଯାଉଛି । କାରଣ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କିବରେ ଏକ ବୈଠକ ପରେ ରୋମନ ଆବ୍ରାମୋଭିଚଙ୍କୁ ବିଷ ଦିଆଯାଇଥିଲା ।