ବାଚସ୍ପତିଙ୍କୁ ଚପଲ ଫୋପାଡିବା ଘଟଣା । ଜୟନାରାୟଣ କହିଲେ, ମୁଁ ଯାହା କରିଛି ଠିକ୍ କରିଛି, ପଶ୍ଚାତାପ କରିବାର ନାହିଁ, କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ । 

955

କନକ ବ୍ୟୁରୋ : ବିଧାନସଭାରେ ଆଜି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ଉପରକୁ ଚପଲ ଫୋପାଡିଛନ୍ତି ବିରୋଧୀ ବିଧାୟକ । ବାଚସ୍ପତି ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଓ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ନଦେବା ଅଭିଯୋଗ ଆଣି ଏଭଳି ଆଭିମୁଖ୍ୟ ଆପଣାଇଛନ୍ତି ବିରୋଧୀ ।  ବିନା ଆଲୋଚନାରେ ବିଲ୍ ପାସ କରିଥିବାରୁ ବିରୋଧ କରି ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । ହୋ ହାଲ୍ଲା ଭିତରେ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗାଯାଇଥିବା କହିଛନ୍ତି ବିରୋଧୀ ସଦସ୍ୟ ମୋହନ ମାଝୀ । ତେବେ ବିଜେପି ବିଧାୟକ ବିଷ୍ଣୁ ସେଠୀ ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଏନେଇ ଜୟନାରାୟଣ ମିଶ୍ର କହିଛନ୍ତି, ବିନା ଆଲୋଚନାରେ ବିଲ୍ ପାରିତ ହେଉଥିଲା । ବିରୋଧୀ ନେତାଙ୍କୁ କହିବାକୁ ସୁଯୋଗ ଦିଆଗଲାନି । ବାଚସ୍ପତି ସେମିତି କାମ କରିଥିବାରୁ ଏଭଳି ହେଲା । ସରକାରୀ ଦଳ ପାଇଁ କାମ କରିବା ସହ ବିଧାନସଭାର ନୀତି ନିୟମକୁ ଜଳାଞ୍ଜଳି ଦେଇଛନ୍ତି ବାଚସ୍ପତି । ତେଣୁ  ମୁଁ ଯାହା କରିଛି ଠିକ୍ କରିଛି, ବାଚସ୍ପତି ଯେଉଁଭଳି ବ୍ୟବହାର କରିଛନ୍ତି ତାଙ୍କୁ ସେଭଳି ବ୍ୟବହାର କରାଯାଇଛି । ପଶ୍ଚାତାପ କରିବାର କୌଣସି ଆବଶ୍ୟକତା ନାହିଁ ।ଯାହା କାର୍ଯ୍ୟାନୁଷ୍ଠାନ ନେବେ ଆମେ ପ୍ରସ୍ତୁତ ଅଛୁ । ସରକାରୀ ଦଳର ବୋକଚାବୁହା ଭଳି କାମ କରୁଛନ୍ତି ବାଚସ୍ପତି । ତେଣୁ ଏଭଳି ସ୍ଥିତି ଉପୁଜିଲା ।

ତେବେ ଏହି ପୂରା ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ପୂରା ଘଟଣାର ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନ ତା ବାଟରେ ଯିବ କେହି ବନ୍ଦ କରିପାରିବେନି ।