ରାଜ୍ୟସଭାରେ ଚୀନ ଉପରେ ବର୍ଷିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । କହିଲେ, ଚୀନ ସେନାକୁ ଫିଙ୍ଗର-୮ ପର୍ଯ୍ୟନ୍ତ ଫେରିବାକୁ ହେବ

56

କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ବି ଲାଗି ରହିଛି । ଭାରତର କିଛି ଅଞ୍ଚଳକୁ ଦଖଲ କରିବାକୁ ଚୀନ ପକ୍ଷରୁ ବାରମ୍ବାର ପ୍ରୟାସ ଜାରି ରହିଛି । ଏହାକୁ ନେଇ ଆଜି ରାଜ୍ୟସଭାରେ ଚୀନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ପୂର୍ବ ଲଦାଖରେ ଭାରତୀୟ ସେନା ଚୀନ ସେନାକୁ କଡା ଜବାବ୍ ଦେଉଛି । ହେଲେ ଚୀନ ଏଲଏସିରେ ଏବେ ବି ପ୍ରଚୁର ପରିମାଣର ଗୋଳାବାରୁଦ ଠୁଳ କରୁଛି । ତେବେ ଚୀନ ସହିତ ବାରମ୍ବାର ହେଉଥିବା ଆଲୋଚନା ଏବେ ସଫଳ ହେବାକୁ ଯାଉଛି ।
ପୂର୍ବ ଲଦାଖର ସ୍ଥିତିକୁ ନେଇ ବିରୋଧୀଦଳ ମାନେ ବାରମ୍ବାର ସରକାରଙ୍କୁ ଘେରୁଛନ୍ତି । ବୁଧବାର ଦିନ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ଚୌଧୁରୀଙ୍କ ପ୍ରଶ୍ନର ଉତର ଦେଇ କେନ୍ଦ୍ରୀୟ ନେତା ବି,କେ ସିଂ କହିଥିଲେ କି ଏଭଳି ଗମ୍ଭୀର ପ୍ରସଙ୍ଗରେ ବିରୋଧୀ ଦଳ ବୁଝି ବିଚାରି ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ।

ରାଜନାଥ ସିଂଙ୍କ ସୂଚନା ମୁତାବକ ପୈଙ୍ଗାଙ୍ଗ୍ ହ୍ରଦ ନିକଟରୁ ଚୀନ ସେନା ପ୍ରତ୍ୟାହାର କରିବା ନେଇ ବୁଝାମଣା ହୋଇଛି । ଭାରତ ତା’ର ବେସ୍ ଫିଙ୍ଗର ଠାରୁ ୩ ଓ ଚୀନ ତା’ର ବେସ୍ ଫିଙ୍ଗର ଠାରୁ ୮ ପାଦ ପଛକୁ ଫେରିବ ବୋଲି ହୋଇଥିବା ବୁଝାମଣାରେ ଉଲ୍ଲେଖ ରହିଛି । ଏହାସହ ଚୀନ ଭାରତ ସୀମାରେ କରୁଥିବା ସମସ୍ତ ନିର୍ମାଣ ବନ୍ଦ କରିବା ସହ ପୂର୍ବରୁ ସେମାନଙ୍କ ସେନା ଯେଉଁ ସୀମାରେଖା ନିକଟରେ ଥିଲେ ସେଠାକୁ ଫେରିଯିବା ନେଇ କଥାବାର୍ତ୍ତା ହୋଇଛି । ଏହାସହ ଗତକାଲି ଠାରୁ ଚୀନ ତା’ର ସେନାକୁ ପଛକୁ ଫେରାଇ ନେବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ପ୍ରତିରକ୍ଷାମନ୍ତ୍ରୀ ରାଜ୍ୟସଭାରେ ସୂଚନା ଦେଇଛନ୍ତି ।