ମୋତେ ପିସିସି ସଭାପତି ପଦରୁ ହଟେଇ ଦେଲେ ମୁଁ ସେମାନଙ୍କ ପାଖରେ ଚିର ଋଣୀ ରହିବି । ମେଳି ବାନ୍ଧିଥିବା ନେତାଙ୍କୁ ନିରଞ୍ଜନଙ୍କ ତେରଛା ବାଣ ।

999

କନକ ବ୍ୟୁରୋ : ମୋତେ ପିସିସି ସଭାପତି ପଦରୁ ହଟେଇ ଦେଲେ ମୁଁ ତାଙ୍କ ପାଖରେ ଚିର ଋଣୀ ରହିବି । ପିସିସି ସଭାପତି କିଏ ହେବ ମୋତେ କୁହନ୍ତୁ, ମୁଁ ତାଙ୍କ ନାଁ ଏଆଇସିସି ଆଗରେ ରଖିବି । ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ବଦଳାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ଏହି ବୟାନ ଏବେ କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି । ଆଉ ଦର୍ଶାଉଛି କଂଗ୍ରେସରେ ଏବେ ସବୁକିଛି ଠିକ୍ ନାହିଁ ।

ଓଡ଼ିଶାରେ ଲୋକେ ବାରମ୍ବାର ହାତକୁ ହତାଦାର କରୁଥିଲେ ମଧ୍ୟ ପୁରୁଣା ଅଭ୍ୟାସ ଛାଡିପାରିନାହାନ୍ତି ଦଳୀୟ ନେତା । ଗୋଡଟଣା ନୀତି ପାଇଁ ରାଜ୍ୟରେ କଂଗ୍ରେସ ‘ହାତ’ ଟେକି ପାରୁନାହିଁ । ଆଉ ଏଭଳି ସ୍ଥିତିରେ ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ । ଆରମ୍ଭ ହେଲା ପିସିସି ସଭାପତି ହଟାଅ ଅଭିଯାନ । ନିରଞ୍ଜନଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବାକୁ ଆରମ୍ଭ ହୋଇଛି ବ୍ଲୁ-ପ୍ରିଣ୍ଟ ।

ଭୁବନେଶ୍ୱର ପାନ୍ଥନିବାସରେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ବୈଠକ ବସିବା ସହ ମହମ୍ମଦ ମୋକିମଙ୍କୁ ପରବର୍ତୀ ପିସିସି ସଭାପତି କରିବାକୁ ଦାବି ହୋଇଛି । କଂଗ୍ରେସ ନେତା ବାପି ସର୍ଖେଲ ମୋକିମଙ୍କ ସପକ୍ଷରେ ଯୁକ୍ତି ରଖି କହିଛନ୍ତି, କଟକ ଭଳି ସ୍ଥାନରେ ବିଜେଡିକୁ ମୁକାବିଲା କରି ମୋକିମ ବିଜୟୀ ହୋଇଛନ୍ତି ଏବଂ ଏହା ହିଁ ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରମାଣିତ କରୁଛି ।

ଆଉ ଜବାବରେ ନିରଞ୍ଜନ କହିଛନ୍ତି, ପିସିସି ସଭାପତି ହଟାଓ ଅଭିଯାନ କଂଗ୍ରେସ ଦଳର ୨୫ ବର୍ଷ ତଳର ପୁରୁଣା ରୋଗ । ଏହି ରୋଗ ସହଜରେ ଯିବନି । ସଭାପତି ଭାବେ ଏହି ରୋଗକୁ ମୁଁ ମାରିପାରିନି । ତେଣୁ ପୁଣିଥରେ ଏହି ରୋଗ ବାହାରିଛି । ବାରମ୍ବାର ଏଭଳି ହେବା ଦ୍ୱାରା ଲୋକେ କଂଗ୍ରେସର ‘ହାତ’ ଛାଡୁଥିଲେ ମଧ୍ୟ ନେତାଙ୍କର ଏଯାଏଁ ପଦବୀ ଲୋଭ ଯାଇନି । ଯାହା କଂଗ୍ରେସକୁ ଓଡିଶାରେ ବ୍ୟାକଫୁଟକୁ ଠେଲିଦେଇଛି । ତେଣୁ ଲଞ୍ଚ ଓ ଡିନର ଖାଇ ସଭାପତି ନ ବାଛିବାକୁ ମେଳି ବାନ୍ଧିଥିବା ନେତାଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ।

ଏହାପୂର୍ବରୁ ପିସିସି ସଭାପତି ହଟାଅ ଅଭିଯାନକୁ କଡା ସମାଲୋଚନା କରିଥିଲେ ଦଳର ବରିଷ୍ଠ ନେତା ସୁର ରାଉତରାୟ । ସୁର କହିଥିଲେ, କଂଗ୍ରେସର ପ୍ରକୃତି ହେଲା, ଯିଏ ସଭାପତି ହେଲା ତାକୁ ହଟାଇଦିଅ । ଯେଉଁଥିପାଇଁ ଓଡିଶାରେ କଂଗ୍ରେସ ହାତ ଟେକିପାରୁନି । ଏହାଛଡା ପରବର୍ତି ମ୍ୟୁନିସପାଲଟି ନିର୍ବାଚନରେ କେମିତି ଦଳ ଜିତିବ ସେନେଇ ଦଳର ପ୍ରତ୍ୟେକ କର୍ମୀ ଚିନ୍ତା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।