ବିଧାନସଭାରେ ଉଠିଲା ସ୍କୁଲ ବନ୍ଦ ପ୍ରସଙ୍ଗ: ଗୃହରେ ବିରୋଧୀଙ୍କ ଜୋରଦାର ହଙ୍ଗାମା; କଂଗ୍ରେସ ବିଧାୟକ ତାରା ବିହୀନିପତି କହିଲେ, ନିଷ୍ପତି ପ୍ରତ୍ୟାହାର ନହେଲେ ଆତ୍ମାହୂତି ଦେବି, ବେକ କାଟି ମରିବି

ସେପଟେ ବାଚସ୍ପତିଙ୍କ ରୁଲିଂ । କାଲି ଗୃହରେ ଉତର ରଖିବେ ଗଣଶିକ୍ଷା ମନ୍ତ୍ରୀ

193

କନକ ବ୍ୟୁରୋ: ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ । ବାଚସ୍ପତିଙ୍କ ରୁଲିଂ ପରେ ବି ଗୃହରେ କଂଗ୍ରେସ ଓ ବିଜେପି ସଭ୍ୟ ହୋହାଲ୍ଲା କରିବାକୁ ଗୃହକୁ ଦିନ ୩ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରା ବିହୀନିପତି କହିଛନ୍ତି ଯେ, ନିଷ୍ପତି ପ୍ରତ୍ୟାହାର ନହେଲେ ସେ ଆତ୍ମାହୂତି ଦେବେ ଏବଂ ବେକ କାଟି ମରିବେ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଆଲୋଚନା କରିବା ସହ ସର୍ବଦଳୀୟ ବୈଠକ କରାଯାଉ, ଏବଂ ବୈଠକକୁ ମନ୍ତ୍ରୀ ଆସନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି । ୟୁପି ସ୍କୁଲ ବନ୍ଦ ନେଇ ପ୍ରଥମେ ବାଚସ୍ପତି ରୁଲିଂ ଆଣିଥିଲେ ।

କାଲି ଗୃହରେ ମନ୍ତ୍ରୀ ଏନେଇ ଉତର ରଖିବେ ବୋଲି କୁହାଯାଇଥିଲା । ହେଲେ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ବାଚସ୍ପତି ପୁଣି ରୁଲିଂ ଆଣିଥିଲେ । କାଲି ସୁଦ୍ଧା ଗୃହରେ ସ୍କୁଲ ବନ୍ଦ ନେଇ ଗଣ ଶିକ୍ଷା ମନ୍ତ୍ରୀ ଉତର ରଖିବେ ବୋଲି ରୁଲିଂ ଆଣିଯାଇଥିଲା । ରୁଲିଂ ପରେ ବି ବିରୋଧୀ ହଟ୍ଟଗୋଳ କରିବାକୁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ । ସରକାର ନିର୍ଦ୍ଦେଶ ଦିଅନ୍ତୁ ସ୍କୁଲ ବନ୍ଦ ନହେଉ । ପିଲା ଏତେ ଦୂର କେମିତି ପଢିବାକୁ ଯିବେ । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ପଳାଇବ ବୋଲି ନରସିଂହ କହିଥଲେ । ସେହିପରି ବିରେଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ, ୟୁପି ସ୍କୁଲ ବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ରାଜ୍ୟରେ ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି । ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦେଶ୍ୟ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।