ମୁଁ ୩ ନମ୍ବରରେ ବ୍ୟାଟିଂ କରିବି, ରାହୁଲ-ରୋହିତ ଓପନିଂରେ ବ୍ୟାଟିଂ କରିବେ : ବିରାଟ କୋହଲି

209

କନକ ବ୍ୟୁରୋ: “ବିଶ୍ୱକପରେ ଭାରତରେ ରୋହିତ-ରାହୁଲ ଯୋଡି ସହ ପଡିଆକୁ ଓହ୍ଲାଇବ । ମୁଁ ୩ ନମ୍ବରରେ ବ୍ୟାଟିଂ କରିବି । ବର୍ତ୍ତମାନ ସମୟରେ ଏହି ଗୋଟିଏ ଖବର ହିଁ ମୁଁ ଆପଣଙ୍କୁ ଦେଇପାରିବି’’, ସୋମବାର ଇଂଲଣ୍ଡ ବିପକ୍ଷ ୱାର୍ମଅପ୍ ମ୍ୟାଚ୍ ସମୟରେ ଦଳର ବ୍ୟାଟିଂ ଲାଇନ୍ ଅପକୁ ନେଇ କିଛି ଏପରି କହିଛନ୍ତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ।

ଆସନ୍ତା ଅକ୍ଟୋବର ୨୪ ତାରିଖରେ ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ । ଏହାପୂର୍ବରୁ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳୁଛି । ଏହି ମ୍ୟାଚର ଟସ୍ ସମୟରେ ଯେତେବେଳେ କୋହଲିଙ୍କୁ ଦଳର ବ୍ୟାଟିଂ ଲାଇନ୍ ଅପ ନେଇ ପ୍ରଶ୍ନ କରାଯାଇଥିଲା, ସେତେବେଳେ କୋହଲି କିଛି ଏଭଳି ଢଙ୍ଗରେ ଉତ୍ତର ରଖିଥିଲେ । ଖାଲି ସେତିକି ନୁହେଁ; କୋହଲି ଆହୁରି ମଧ୍ୟ କହିଥିଲେ, “ରୋହିତ ଜଣେ ବିଶ୍ୱସ୍ତରୀୟ ଖେଳାଳି, ପ୍ରଥମରୁ ସେ ମଜଭୁତ୍ ଆରମ୍ଭ ଦେବେ । ମୁଁ ୩ ନମ୍ବରରେ ବ୍ୟାଟିଂ କରିବି । କିନ୍ତୁ ରୋହିତଙ୍କ ସହିତ ରାହୁଲଙ୍କ ନାଁ ହିଁ ଓପନିଂ ପାଇଁ ବିଚାର କରାଯାଇପାରିବ ।”

ସୂଚନାଯୋଗ୍ୟ ଯେ, ସର୍ବାଧିକ ୩୦ଟି ଛକା ସହିତ ରାହୁଲ ଚଳିତ ଆଇପିଏଲରେ ମୋଟ ୬୨୮ ରନ୍ କରିଛନ୍ତି । ଯାହାକି ଚଳିତ ଆଇପିଏଲରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ତେଣୁ ଟିମ୍ ଇଣ୍ଡିଆରେ ସେ ହିଁ ରୋହିତଙ୍କ ସହିତ ଓପନିଂ ଦାୟିତ୍ୱ ତୁଲାଇବେ ବୋଲି କୋହଲି ସୂଚନା ଦେଇଛନ୍ତି । ଅନ୍ୟପଟେ ଦଳକୁ ଅତୀତରେ ସଫଳତା ମିଳିଛି । ତେଣୁ ଏବେ ଆମେ ଜୋଶରେ ଅଛୁ । ବିଶେଷକରି ଫିଲଡିଂ ଉପରେ ଗୁରୁତ୍ୱ ଦେଉଛୁ । ଆଇପିଏଲ୍ ସମୟରେ ସମସ୍ତେ ଅଲଗା ଅଲଗା ହୋଇ ଖେଳୁଥିଲେ, ହେଲେ ଏବେ ଆମେ ୧୧ ଜଣ ସାଙ୍ଗ ହୋଇ ଖେଳୁଛୁ । ଭାରତୀୟ କ୍ରିକେଟ୍ ସମସ୍ତଙ୍କ ପାଇଁ ପ୍ରାଥମିକତା ବୋଲି କୋହଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପ୍ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ୱକପ୍ ପରେ ସେ ଟି-୨୦ରେ ଆଉ ଦଳର ନେତୃତ୍ୱ ନେବେ ନାହିଁ । ତେଣୁ ଏହି ଶେଷ ଟୁର୍ଣ୍ଣାମେଣ୍ଟରେ ସେ ଦଳକୁ ବିଶ୍ୱବିଜୟୀ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପଟେ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ଦଳର ମେଣ୍ଟର ଭାବେ ନୂଆ କରି ଦାୟିତ୍ୱ ପାଇଛନ୍ତି । ତେଣୁ ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ବିଜୟୀ କରିବାକୁ କୋହଲି ଲକ୍ଷ୍ୟ ରଖିଛନ୍ତି ।