ବରଗଡରେ ବ୍ୟାପୁଛି କ୍ୟାନ୍ସର । ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅଭିନବ ଉପାୟରେ ଦୃଷ୍ଟି ଆକର୍ଷଣ କଲେ ସାମାଜିକ କର୍ମୀ , ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ସର୍ଭେରେ ଅଟକି ଯାଇଛି କାମ ।

144
କନକ ବ୍ୟୁରୋ: ବରଗଡ ଜିଲ୍ଲାରେ ବ୍ୟାପୁଛି କ୍ୟାନସର । ଏହା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜିଲ୍ଲାବାସୀ ପ୍ରତିଶ୍ରୃତି ପାଇଥିଲେ ବି କେବଳ ସର୍ଭେରେ ଏହା ଅଟକି ଯାଇଛି ।  ତେବେ ବରଗଡରେ ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ  ସାମାଜିକ କର୍ମୀ ଅଶ୍ୱିନୀ ଦର୍ଜିଙ୍କ  ଅଭିନବ ଉପାୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ବରଗଡରେ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା ।  ଆଉ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କ୍ୟାନସର ସର୍ଭାଭାଇଭର ଅଶ୍ୱିନୀ ଦର୍ଜି । ତାଙ୍କ କହିବା କଥା ହେଲା,  ଚାଷ କାମରେ  କୀଟନାଶକର ବ୍ୟବହାର ବଢୁଥିବାରୁ ଜିଲ୍ଲାରେ ବଢୁଛି କ୍ୟାନସର ରୋଗୀଙ୍କ ସଂଖ୍ୟା ।  କ୍ୟାନସର ରୋଗୀମାନେ  ମୁଖ୍ୟତଃ ଅଧିକ ଚିକିତ୍ସା ଲାଗି  କଟକ , ମୁମ୍ବାଇ ଓ ରାୟପୁର ଯାଇ  ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ।  ମୁଖ୍ୟମନ୍ତ୍ରୀ ବରଗଡରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ  ଏ ଯାଏଁ ହସପିଟାଲ କାମ ଆଗେଇ ପାରୁନାହିଁ । ତେଣୁ ଏ  ଦିଗରେ  ପଦକ୍ଷେପ ନେବାକୁ ଦାବି କରି ସେ ସୋସିଆଲ ମିଡିଆରେ ନିଜ ଫଟୋ ପୋଷ୍ଟ କରିଛନ୍ତି ।
ରାଜ୍ୟରେ ବର୍ଷକୁ ୮ ହଜାର  ରୋଗୀ କ୍ୟାନସରରେ ପୀଡିତ ହେଉଛନ୍ତି ।  ଏମାନଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରୋଗୀ ପଶ୍ଚିମ ଓଡିଶାର । ବରଗଡ ମୁଖ୍ୟ ଡାକ୍ତରଖାନା ପରିସରରେ  କ୍ୟାନସର ହସ୍ପିଟାଲ  ସ୍ଥାପନ ଲାଗି  ଏକ ଉଚ୍ଚସ୍ତରୀୟ କମିଟି  ସର୍ଭେ କରିଥିଲା  ।  ରାଜ୍ୟରେ ଟାଟା କମ୍ପାନୀ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ବି ଏଥିରୁ ଓହରିଯାଇଛି । କେବଳ ସର୍ଭେରେ ଅଟକିଯାଇଛି ବରଗଡର ବହୁ ପ୍ରତିକ୍ଷୀତ  କ୍ୟାନସର ହସପିଟାଲ । ଏବେ ଅପେକ୍ଷା ଏହା କେବେ କାର୍ଯ୍ୟକାରୀ ହେବ ।