କ୍ଷମା ମାଗିଲେ ଏବି ଡିବିଲିୟର୍ସ । କହିଲେ ଅଜଣାତରେ ଦେଇଥିଲେ ଭୁଲ ସୂଚନା

2,355

କନକ ବ୍ୟୁରୋ : କ୍ଷମା ମାଗିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିବିଲିୟର୍ସ । କ୍ରିକେଟର ବିରାଟ କୋହଲୀ ଓ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ଭୁଲ ମାଗିଛନ୍ତି ଡିବିଲିୟର୍ସ । ନିକଟରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅନୁଷ୍କା ଗର୍ଭବତୀ ଥିବାରୁ ବିରାଟ କିଛି ଦିନ ପାଇଁ ଖେଳରୁ ବିଶ୍ରାମ ନେଇଥିବା କହିଥିଲେ । ଏହା ପରଠୁ ଉଭୟ ବିରାଟ ଓ ଅନୁଷ୍କାଙ୍କୁ ଛୁଟିଥିଲା ଶୁଭେଚ୍ଛାର ସୁଅ । ଇଂଲଣ୍ଡ ସହ ଭାରତ ଟେଷ୍ଟ ସିରିଜ ଖେଳୁଛି । ପ୍ରଥମ ଦୁଇଟି ମ୍ୟାଚରେ ବିରାଟ ଟିମ ଇଲେଭନରେ ନଥିଲେ । ବିଶ୍ରାମ ପାଇଁ ବିସିସିଆଇକୁ ନିବେଦନ ମଧ୍ୟ କରିଥିଲେ । ତେବେ ବାକି ୩ଟି ମ୍ୟାଚ ଖେଳିବେକି ନାହିଁ ସ୍ପଷ୍ଟ ହୋଇନି । ଏହା ଭିତରେ ଡିବିଲିୟର୍ସ କହିଥିଲେ ବିରାଟ ୨ୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ଓ କ୍ରିକେଟର କିଛି ଦିନ ପାଇଁ ବିଶ୍ରାମ ନେଉଛନ୍ତି । ତେବେ ଖବର ଚର୍ଚ୍ଚା ପରିସରକୁ ଆସିବା ପରେ ଡିବିଲିୟର୍ସଙ୍କ ବୟାନ ସାମ୍ନାକୁ ଆସିଛି । ସେ ଭୁଲ ତଥ୍ୟ ଦେଇଥିବାର ଦୁଖିତ କହି କ୍ଷମା ମାଗିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ବିରାଟ ବ୍ରେକ ନେଇଛନ୍ତି ଓ ଖୁବ ଶିଘ୍ର ଖେଳିବେ କହିଛନ୍ତି ଡିବିଲିୟର୍ସ ।