ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ  ।

250
କନକ ବ୍ୟୁରୋ: ଖବର ବାଜିଲା, ତନାଘନା ଆରମ୍ଭ ହେଲା । ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଟ୍ୱିଟ୍ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ଏନେଇ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜାଭଡେକରଙ୍କୁ ଟ୍ୱିଟ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ ଧର୍ମେନ୍ଦ୍ର, ଶିମିଳିପାଳ ଅଗ୍ନିକାଣ୍ଡ ନେଇ ପ୍ରଥମେ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।
ତେବେ କିଛି ସମୟ ପୂର୍ବରୁ  ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବେଗ ପ୍ରକାଶ କରିଥିଲେ । ଏନେଇ ଟ୍ୱିଟ୍ କରି ବିଭାଗୀୟ ମନ୍ତ୍ରୀଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ  । ଦେଶର ଅନ୍ୟତମ ପ୍ରମୁଖ ଅଭୟାରଣ୍ୟ ଶିମିଳିପାଳରେ ଅଗ୍ନିକାଣ୍ଡ ଉଦବେଗଜନକ ବୋଲି ମଧ୍ୟ ଧର୍ମେନ୍ଦ୍ର କହିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୃଷ୍ଟି ଦେବାକୁ ଟ୍ୱିଟ୍ କରି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ୨ହଜାର ୭୫୦ ବର୍ଗ କିଲୋମିଟରର ବିଶାଳ ଶିମିଳିପାଳ ଅଭୟାରଣ୍ୟ ଆଡକୁ ଦ୍ରୁତ ବେଗରେ ନିଆଁ ମାଡି ଆସୁଛି । ଅଭୟାରଣ୍ୟର ଆଖପାଖ ଜଙ୍ଗଲରେ ସାଙ୍ଘାତିକ ନିଆଁ ଲାଗିଲାଣି । ମୟୂରଭଂଜର ରାଜ ପରିବାର ଏହି ଘଟଣାକୁ ଆଗକୁ ଆଣିଛନ୍ତି । ରାଜକୁମାରୀ ଅକ୍ଷୀତା ମଂଜରୀ ଭଂଜଦେଓ ଟ୍ୱିଟ୍ କରି କହିଛନ୍ତି, ଶିମିଳିପାଳର ସୌନ୍ଦର୍ଯ୍ୟ ନଷ୍ଟ କରିବା ପାଇଁ ଏବଂ ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇବା ପାଇଁ, କିଛି ବ୍ୟକ୍ତି ଏଭଳି କାମ କରୁଛନ୍ତି । ତେଣୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ରାଜକୁମାରୀଙ୍କ ଟ୍ୱିଟକୁ ରିଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ଗମ୍ଭୀରତା ଭାବେ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିଥିଲେ । ଠିକ୍ କେଇ ଘଣ୍ଟା ପରେ ଶିମିଳିପାଳ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡେକର ।