ନୟାଗଡ଼ ଯଦୁପୁରରେ କଂଗ୍ରେସ ଟିମ: ଏପଟେ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ପରୀ ଗାଁକୁ ଗଲା ବିଜେପି ପ୍ରତିନିଧି ଦଳ; ବିଜେଡି କହିଲା, ପରୀକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ

76

କନକ ବ୍ୟୁରୋ: ରାଜନୀତିରେ ଚର୍ଚାର ପ୍ରସଙ୍ଗ ସାଜିଛି ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଯଦୁପୁର ଯାଇ ପରୀଙ୍କ ପରିବାରକୁ ଭେଟିଛନ୍ତି । ପରୀ ମାମଲା ନେଇ ପରିବାର ସହ ଆଲୋଚନା କରିଛି ଦଳ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ପରୀ ପରିବାରକୁ ଭେଟିଛନ୍ତି । ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ ।

ସେପଟେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମଧ୍ୟ ପରୀ ଗାଁକୁ ଯାଇଛନ୍ତି । ପରୀ ପରିବାରକୁ ଭେଟିଛନ୍ତି ବିଜେପି ଟିମ । ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । କହିଛନ୍ତି, ସେ ମନ୍ତ୍ରୀ ମଣ୍ଡଳରେ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ । ତେଣୁ ସେ ଇସ୍ତଫା ଦିଅନ୍ତୁ । ଏନେଇ  ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ଦୁର୍ଗାପୂଜା ମଣ୍ଡପରେ ଏହି ପ୍ରତିବାଦ କରାଯାଉଛି। ପରୀ ପରିବାରକୁ ଭେଟିବା ପରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଏହି ଧାରଣାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସମ୍ବିତ ପାତ୍ରଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଲାଲାମନୋଜ ରାୟ, ଇରାନୀ ରାୟ ପ୍ରମୁଖ ପରୀ ପରିବାରକୁ ଭେଟିଥିଲେ।

ସେପଟେ ପରୀ ଗାଁକୁ ବିଜେପି ଓ କଂଗ୍ରେସ ଟିମ ଯିବା ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି , ପରୀକୁ ନେଇ ରାଜନୀତି କରାନଯାଉ । ବିରୋଧୀ ଦୋହାରା ନୀତି ଆପଣାଇଥିବା କହିଛନ୍ତି ଲେନିନ ମହାନ୍ତି ।