କାହିଁକି ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ପ୍ରତାପ ଷଡଙ୍ଗୀ : କହିଲେ କାରଣ ଜାଣିନି, ଏହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର; ମନ୍ତ୍ରୀପଦ ପାଇଁ କେବେ ନଥିଲା ଲାଳସା

1,259

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳରୁ କାହିଁକି ବାଦ ପଡ଼ିଲେ ପ୍ରତାପ ଷଡଙ୍ଗୀ, ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଏହାର କାରଣ ସେ ଜାଣିନାହାନ୍ତି । କାରଣ ଜାଣିବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନାହିଁ । ଏହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର । ମନ୍ତ୍ରୀ ପଦ ପାଇବା ପାଇଁ ତାଙ୍କର କେବେ ଲାଳସା ନଥିଲା । ମନ୍ତ୍ରୀ ପଦ ଚାଲିଯିବା ନେଇ ସେ ବିଚଳିତ ମଧ୍ୟ ନୁହଁନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମନ୍ତ୍ରିମଣ୍ଡଳରେ କାହାକୁ ରଖିବେ କି ନାହିଁ ତାହା ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାଧୀନ । ତେଣୁ ମୁଁ ଏଥିରେ ମୁଁ ବିଚଳିତ ଓ ଚିନ୍ତିତ ନୁହେଁ । ମୁଁ କେବେ ମନ୍ତ୍ରୀ ପଦ ପାଇଁ ଆଶା କରି ନ ଥିଲି । ମନ୍ତ୍ରୀ ହେବା ପାଇଁ କେବେ କଳ୍ପନା କରି ନ ଥିଲି। ଅଚାନକ ଫୋନ୍ ପାଇ ମନ୍ତ୍ରୀ ହୋଇଥିଲି। ତେଣୁ ମନ୍ତ୍ରୀ ପଦ ନ ରହିଲେ ମୋର କିଛି ଯାଏ ଆସେ ନାହିଁ । ମନ୍ତ୍ରୀ କି ବିଧାୟକ ନ ଥିଲା ବେଳେ ଲୋକଙ୍କ ସେବା କରୁଥିଲି। ତାହା ଜାରି ରହିବ।

ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ଅସନ୍ତୁଷ୍ଟ ଥିବା ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ମୋତେ ଏ କଥା ଜଣା ନାହିଁ । ପ୍ରଧାନମନ୍ତ୍ରୀ କେବେ ଅସନ୍ତୋଷ ବ୍ୟକ୍ତ କରି ନ ଥିଲେ । ସେ ଅନେକ ଥର ଆମ ସହ ବୈଠକ କରିଛନ୍ତି। ପ୍ରେରଣାଦାୟୀ ପ୍ରସ୍ତାବ ଦିଅନ୍ତି। ମୋ ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କ ଅସନ୍ତୋଷ ମୁଁ ଜାଣିବାର ସୁଯୋଗ ପାଇ ନାହିଁ ।