ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର । ଦୀର୍ଘ ୬ ବର୍ଷ ହେଲା ପାଇଖାନା ଘରେ ଜୀବନ ବିତାଉଛନ୍ତି ନୀଳଗିରୀ ଗୁଜୁଡିହାର ୮୦ ବର୍ଷୀୟା ବୃଦ୍ଧା

286

କନକ ବ୍ୟୁରୋ : ଠିକାଦାରଙ୍କ ଠକାମିର ଶିକାର ୮୦ ବର୍ଷିୟ ବୃଦ୍ଧା । ୬ବର୍ଷ ହେଲା ପାଇଖାନାରେ କଟୁଛି ବୃଦ୍ଧାଙ୍କ ଜୀବନ । ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାନ ପର୍ଯ୍ୟନ୍ତ ସମସ୍ତଙ୍କ ଗୁହାରି ହେଲେ ବି ମିଳୁନି କୌଣସି ସହାୟତା । ଶେଷରେ ଭାଗ୍ୟକୁ ଆଦରି ପାଇଖାନାରେ ଜୀବନ ବିତାଉଛନ୍ତି ବାଲୋଶ୍ୱ ଜିଳ୍ଲା ନୀଳଗିରିର ଆଶାମଣି ।

ଅସହାୟ ବୃଦ୍ଧାଙ୍କ ପାଇଁ ପାଇଖାନା ପାଲଟିଛି, ବେଡରୁମ, କିଚେନ ଓ ଡାଇନିଂ ରୁମ । ୮ଫୁଟ ଉଚ୍ଚ ଓ ୪ଫୁଟ ଚଉଡାର ପାଇଖାନା, ଯେଉଁଠି ଜଣେ ବୁଲିବା କଷ୍ଟକର, ସେଇଠି ବୃଦ୍ଧା ଜଣଙ୍କ, ଶୋଇବାଠାରୁ ଆରମ୍ଭ କରି ଖାଇବା, ବସିବା ସବୁକିଛି କରୁଛନ୍ତି । ଖରାବର୍ଷା, ଶୀତରୁ ରକ୍ଷା ପାଇବା ପାଇଁ ଏହି ପାଇଖାନା ପାଲଟିଛି ଆଶ୍ରୟସ୍ଥଳ । ତେବେ ଖରା ଓ ଶୀତ ଦିନରେ କଷ୍ଟେ ମଷ୍ଟେ ଚଳିଯାଉଥିଲେବେଳେ, ବର୍ଷା ଆସିଲେ ଦୁଃଖ ବଢ଼ିଯାଏ । ବାହାରା ଥିବା ଚୁଲିରେ ପାଣି ପଶି ଯାଉଥିବାରୁ ଅଧା ଦିନ ଉପାସରେ ରହିଥାନ୍ତି । ଦିନେ ନୁହେଁ କି ଦୁଇ ଦିନ ନୁହେଁ ପ୍ରାୟ ୬ବର୍ଷ ହେବ, ଏମିତି ଜୀବନ କାଟୁଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୁଜୁଡିହା ଗାଁର ୮୦ବର୍ଷିୟା ବୃଦ୍ଧା ଆଶାମଣି ନାୟକ ।

ଆଶାମଣୀ ଏମିତି ଜୀବନ କାଟିବା ପଛରେ ଯେଉଁ ସାଂଘାତିକ ଅଭିଯୋଗ ଆସିଛି, ତାହା ଚିନ୍ତାଜନକ । ବୃଦ୍ଧାଙ୍କ କହିବା ଅନୁସାରେ, ୨୦୧୭ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଥିଲା । ହେଲେ, ନିଜର କେହି ନଥିବାରୁ ନିକଟସ୍ଥ ଠିକାଦାରଙ୍କୁ ଘର କରିବାକୁ ଦେଇଥିଲେ । କିନ୍ତୁ, ଠିକାଦାର ଘର ଅଧପନ୍ତରିଆ କରି ଟଙ୍କା ହଡପ କରି ଧରାଛୁଆଁ ଦେଉନାହିଁ । ଯାହାଫଳରେ ସ୍ୱଛ ଭାରତ ମିଶନ ଜରିଆରେ ମିଳିଥିବା ପାଇଖାନା ଆଶାମଣୀଙ୍କୁ ଆଶ୍ରୟ ସ୍ଥଳୀ ପାଲଟିଛି ।

ତେବେ ଅଧାଗଢ଼ା ଘରକୁ ପୂର୍ଣ୍ଣ କରିବା ପାଇଁ ଆଶାମଣୀ ପ୍ରଶାସନଠାରୁ ଆରମ୍ଭ ସ୍ଥାନୀୟ ନେତାଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କିଛି ସୁଫଳ ମିଳିନି । ଏବେ ଅପେକ୍ଷା ଆଶାମଣୀଙ୍କ ଆଶା କେବେ ପୂରଣ ହେଉଛି ।