କଂଗ୍ରେସକୁ ନେଇ ନିରାଶ ହେଲେ ଗୁଲାମ ନବୀ ଆଜାଦ, ୨୦୨୪ ନିର୍ବାଚନକୁ ନେଇ କହିଲେ ଏଭଳି କଥା

227

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନିରାଶ କରିବ ବୋଲି କହିଛନ୍ତି । ସେ କହିଛନ୍ତି କି ଦଳ ଭିତରେ ବର୍ତମାନ ସ୍ଥିତି ଯାହା ରହିଛି ତାହାଯଦି ଆଗକୁ ବଳବତ୍ତର ରହିବ ତେବେ ୨୦୨୪ ରେ କଂଗ୍ରେସ ୩୦୦ ଆସନ ଜିତିବା ଏକ ସ୍ୱପ୍ନ ହୋଇ ରହିଯିବ । କେବଳ ନିର୍ବାଚନ ନୁହେଁ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବି ଆଜାଦ ମତ ରଖିଛନ୍ତି ।
ସେ କହିଛନ୍ତି କି ଜମ୍ମୁ-କାଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ୩୭୦ କୁ କେବଳ କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟ ଚାହିଁଲେ ପୁଣିଥରେ ଲାଗୁ କରିପାରିବେ ।  ଆଜାଦ ତାଙ୍କର ମତବ୍ୟକ୍ତ କରି କହିଛନ୍ତି କି “ଆମ ପାଖରେ ସରକାର ଗଠନ କରିବାକୁ କେବେ ୩୦୦ ସାଂସଦ ହେବେ ତାହା ଜାଣି ନଥିବାରୁ ଜମ୍ମୁ-କାଶ୍ମୀରରେ ପୁଣିଥରେ ଧାରା ୩୭୦ ଲାଗୁ କରିବା ନେଇ ମୁଁ ପ୍ରତିଶ୍ରୁତି ଦେଇପାରୁ ନାହିଁ, ୨୦୨୪ ରେ ଆମକୁ କୌଣସି ପରିସ୍ଥିତିରେ ୩୦୦ ସାଂସଦ ଆଣିବାକୁ ପଡିବ, ଏହା କେବଳ ଭଗବାନ ହିଁ କରିପାରିବେ । କାରଣ ଏବେ ଦଳର ସ୍ଥତି ଦେଖିଲେ ମୋତେ ଲାଗୁନାହିଁ କି ଆମେ ୨୦୨୪ ରେ ୩୦୦ ସାଂସଦ ଜିତିପାରିବୁ ।”

ଜମ୍ମୁ-କାଶ୍ମୀର ପୁଂଛ ଓ ରାଜୋରୀ ଗସ୍ତବେଳେ ଆଜାଦ କହିଥିଲେ କି ଅନୁଛେଦ ୩୭୦ ପୁଣି ଲାଗୁ କରିବା ଅପ୍ରାସଙ୍ଗିକ ଅଟେ । ହେଲେ ଜମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବା ବର୍ତମାନ ପାଇଁ ମୁଖ୍ୟ ପ୍ରସଙ୍ଗ । ତାଙ୍କର ଏଭଳି ବୟାନକୁ ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦ୍ଦୁଲା ନିନ୍ଦା କରିଥିଲେ । ସେ କହିଥିଲେ କି ପ୍ରଥମରୁ ଆଜାଦ ପରାଜୟ ସ୍ୱୀକାର କରିଛନ୍ତି ।

 

ଫାରୁକଙ୍କ ଏଭଳି ବୟାନ ଉପରେ ପ୍ରତିକ୍ରିୟା ରଖି ଆଜାଦ କହିଥିଲେ କି ଗତ ୩ ବର୍ଷ ହେବ କେବଳ ମୁଁ ଏକାକୀ ସଂସଦରେ ଏହି ପ୍ରସଙ୍ଗରେ କହିଚାଲିଛି । ସରକାରଙ୍କ ସହ କଂଗ୍ରେସର ଲଢେଇ ହେଉଛି ଯଦି ସରକାର ଧାରା ୩୭୦ ଉଚ୍ଛେଦ କଲେ ତେବେ ଖୁବଶୀଘ୍ର ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ଉଚିତ ।