କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନାହିଁ ଟଙ୍କା । ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଅଫର ହୋଇଥିଲେ ମଧ୍ୟ ଲଢିବେ ନାହିଁ ବୋଲି କଲେ ସ୍ପଷ୍ଟ

275

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ଅନେକ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲ, ଭୂପେନ୍ଦ୍ର ଯାଦବ, ରାଜୀବ ଚନ୍ଦ୍ରଶେଖର ଏବଂ ଜ୍ୟୋର୍ତିାଦିତ୍ୟ ସିନ୍ଧିଆ ପ୍ରମୁଖ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ମୋଦୀ ସରକାରର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିର୍ବାଚନ ଲଢିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଯାହାକୁ ନେଇ ନାନା ଚର୍ଚ୍ଚା । ଦଳ ତାଙ୍କୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରୁ ଲୋକସଭା ଟିକେଟ୍ ଦେବ ବୋଲି କହିଥିଲା । କିନ୍ତୁ ସୀତାରମଣ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ବୋଲି କହିଛନ୍ତି । ତାଙ୍କ ପାଖରେ ନିର୍ବାଚନ ଲଢିବାକୁ ଆବଶ୍ୟକ ପଇସା ନାହିଁ । ତେଣୁ ସେ ଅଗ୍ରାହ୍ୟ କରିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଦେଶର ସେ ଅର୍ଥମନ୍ତ୍ରୀ । ବଜେଟଠୁ ଆରମ୍ଭ କରି ଅନେକ କ୍ଷେତ୍ରରେ ତାଙ୍କର ରହିଛି ନିୟନ୍ତ୍ରଣ । ଆଉ ଏକ ବଡ଼ କଥା ହେଲା ଦେଶର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ । ଏବଂ ନିର୍ବାଚନୀ ବଣ୍ଡ ଜରିଆରେ ସର୍ବାଧିକ ଚାନ୍ଦା ପାଇଥିବା ଦଳ । ସାରା ଦେଶରେ ବିଜେପି ପଦ୍ମ ଫୁଟାଇବ ବୋଲି ଦମ୍ବୋକ୍ତି ପ୍ରକାଶ କରିଛି । ଏବଂ ଦୁଇ ତୃତୀୟାଂଶ ଆସନ ଜିତିବ ବୋଲି ନାରା ଦେଇଛି । ଏହି ସମୟରେ ଦଳର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ସୀତାରମଣ ନିର୍ବାଚନ ଲଢିବେ ନାହିଁ ବୋଲି କହିବା ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି ।

ନିର୍ବାଚନ ଲଢିବେ ନାହିଁ ବୋଲି ସୀତାରମଣ କହିବା ପରେ ତାଙ୍କର ସମ୍ପତି କେତେ ତାକୁ ନେଇ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିର୍ମଳା ସୀତାରମଣଙ୍କ ମୋଟ ସମ୍ପତ୍ତି ୨ କୋଟି ୫୦ ଲକ୍ଷ ୯୯ ହଜାର ୩୯୬ ଟଙ୍କା ରହିଛି । ଏଥିରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ନିର୍ମଳା ସୀତାରମଣଙ୍କ ନିକଟରେ ୩୧୫ ଗ୍ରାମ ସୁନା ଓ ୨ କେଜି ରୁପା ରହିଛି । ନିର୍ମଳାଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଦାୟିତ୍ୱ ରହିଛି । ନିର୍ମଳା ସୀତାରମଣଙ୍କ ପାଖରେ କାର୍ ନାହିଁ । ଏକ ବଜାଜ ଚେତକ ସ୍କୁଟର ରହିଛି । ଏହାର ମୂଲ୍ୟ ୨୮ ହଜାର ୨୦୦ ଟଙ୍କା ରହିଛି । ହାଇଦ୍ରାବାଦରେ ସୀତାରମଣଙ୍କର ପ୍ରାୟ ୧୬ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଣକୃଷି ଜମି ରହିଛି । ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୮୭ ଲକ୍ଷ ୬୦ ହଜାର ୨୦୦ ଟଙ୍କା ରହିଛି । ସୀତାରମଣଙ୍କ ନାମରେ ୩୦ ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି । ରାଜ୍ୟସଭା ପାଇଁ ନିର୍ବାଚନୀ ସତ୍ୟପାଠରେ ସେ ନଗଦ ୧୭ ହଜାର ୨୦୦ ଟଙ୍କା ଘୋଷଣା କରିଥିଲେ । ଏହାବ୍ୟତୀତ ବ୍ୟାଙ୍କ ଏଫଡିରେ ୪୫ ଲକ୍ଷ ୦୪ ହଜାର ୪୭୯ ଟଙ୍କା ସୂଚନା ଦିଆଯାଇଥିଲା । ସେହିପରି ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କ ଖର୍ଚ୍ଚର ପରିସର ଅଲଗା ଅଲଗା   । ଲୋକସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ୨୦୨୨ରେ ଏହି ପରିମାଣ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଏହା ୭୦ ଲକ୍ଷ ଟଙ୍କା ଥିଲା । ସେହିପରି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବଡକଥା ହେଉଛି ଯେଉଁ ଦୁଇ ରାଜ୍ୟରୁ ଦଳ ଟିକେଟ୍ ଦେବ ବୋଲି ପ୍ରସ୍ତାବ ଦେଇଛି । ଏହି ଦୁଇ ରାଜ୍ୟରେ ବିଜେପିର ପତିଆରା ସେଭଳି କିଛି ନାହିଁ । ଏପରି ସ୍ଥିତିରେ ନିର୍ବାଚନ ହାରିଯିବା ଆଶଙ୍କାରେ ଦଳର ଅର୍ଥମନ୍ତ୍ରୀ ଲୋକସଭା ନିର୍ବାଚନ ଲଢିବା ପ୍ରସ୍ତାବକୁ ଖାରଜ କରିଥିବା ଚର୍ଚ୍ଚା ହେଉଛି ।