କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତି ଏବେ ନୂଆ ମୋଡ ନେବାରେ ଲାଗିଛି । ଏନସିପି ନେତା ଅଜିତ ପାୱାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏସବୁ ଭିତରେ ଅଜିତ ପାୱାର ନିଜର ରାଜନୈତିକ ଆଶା ଜାହିର କରିଛନ୍ତି । ଅଜିତ୍ କହିଛନ୍ତି, ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ସେଥିପାଇଁ ୨୦୨୪କୁ କାହିଁକି ଅପେକ୍ଷା କରିବା । ଅଜିତଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ଏନସିପିର କିଛି ନେତା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment

ଅଜିତ କହିଛନ୍ତି, ୨୦୧୯ରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଢିବାକୁ ଶିବସେନା ସହ ହାତ ମିଳାଇଥିଲେ । ଆଉ ଏହିଠାରୁ ହିଁ ଆମେ ଧର୍ମନିରପେକ୍ଷତା ଲାଇନରୁ ଅଲଗା ହୋଇ ଯାଇଥିଲୁ । କାରଣ ଶିବସେନାର ବଡ ପରିଚୟ ହେଉଛି ହିନ୍ଦୁତ୍ୱ ପାର୍ଟି । ତେବେ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ବିରାମ ଦେଇଛନ୍ତି ଅଜିତ୍ । ଏନସିପିରେ କୌଣସି ଫାଟ ନାହିଁ, ବିଜେପିରେ ସାମିଲ ନେଇ ହେଉଥିବା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ । କିନ୍ତୁ ୨୦୨୪ରେ କାହିଁକି ଏବେ ବି ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଛି ।

ଅନ୍ୟପଟେ ଏନସିପି ପକ୍ଷରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଛି ସେଥିରେ ଅଜିତ ପାୱାରଙ୍କ ନାଁ ନାହିଁ । ଏପରିକି ଅଜିତ ପାୱାର ଦଳର ବୈଠକରେ ମଧ୍ୟ ସାମିଲ ହେଉନାହାନ୍ତି । ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେବା ଆଳରେ ଦଳୀୟ ବୈଠକରୁ ଅଜିତ ଦୂରେଇ ରହୁଛନ୍ତି । ଅଜିତଙ୍କ ଏଭଳି ଆଭିମୁଖ୍ୟ ବିଜେପି ଯିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କେବଳ ଏତିକି ନୁହେଁ କିଛି ଦିନ ପୂର୍ବେ ଅଜିତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କରିବା ସହ ଇଭିଏମ ଉପରେ ଭରସା ବ୍ୟକ୍ତ କରିଥିଲେ ।