କନକ ବ୍ୟୁରୋ : ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଜଣେ ବିଜେପି ନେତା ଯେଭଳି ଭାବେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଦେଲେ ତାହାକୁ ନେଇ ଜୋର ଧରିଛି ରାଜନୀତି । ସିଧି ଜିଲ୍ଲାରେ ପରବେଶ ଶୁକ୍ଲା ଆଦିବାସୀଙ୍କ ଉପରେ ପରିସ୍ରା କରିବାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଦଳକୁ ଷଣ୍ଡୁଆଶୀ ଆକ୍ରମଣ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପୀଡିତଙ୍କ ବାପାଙ୍କ ପାଦ ଧୋଇବା ନେଇ ତେଜିଲା ବୟାନବାଜି । ଗୁରୁବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କୁ ଭେଟି ତାଙ୍କ ପାଦ ଧୋଇ ଦେବା ସହିତ କ୍ଷମା ମାଗିଛନ୍ତି । ଦଶମତଙ୍କୁ ଭେଟିବା ପୂର୍ବରୁ ବୁଧବାର ଶିବରାଜ କହିଥିଲେ ଯେ, ଉକ୍ତ ଭିଡିଓ ଦେଖି ସେ ଖୁବ୍ ମାନସିକ ଆଘାତ ପାଇଛନ୍ତି ।

Advertisment

ପରବେଶ ଶୁକ୍ଲା ପରିସ୍ରାକାଣ୍ଡ ଘଟଣାକୁ ନେଇ ମଧ୍ୟପ୍ରଦେଶ ରାଜନୀତି ବେଶ ସରଗରମ ହୋଇଛି । ବିଜେପି ସରକାର ଆଦିବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ କହି କଂଗ୍ରେସ ବର୍ଷିଥିବା ବେଳେ ସରକାର ମଧ୍ୟ ଡ୍ୟାମେଜ କଂଟ୍ରୋଲ ପାଇଁ ଆଗକୁ ଆସିଛି । ଅଭିଯୁକ୍ତ ବିଜେପି କର୍ମୀ ବୋଲି ବିରୋଧୀ ଅଭିଯୋଗ କରିଥିବା ବେଳେ ସରକାର ଅଭିଯୁକ୍ତ ଘରେ ବୁଲଡୋଜର ଚଳାଇଛନ୍ତି । ସେହିପରି ଏବେ ଧକ୍କା ମାରି ଅଭିଯୁକ୍ତକୁ ପୋଲିସ ଗାଡିରେ ବସାଉଥିବାର ଦେଖିବାକୁ ମିଳିଛି ।

ମଙ୍ଗଳବାର ଭାଇରାଲ ହୋଇଥିବା ଏହି ପରିସ୍ରାକାଣ୍ଡର ଭିଡିଓକୁ ନେଇ ଅଭିଯୁକ୍ତର ପରିବାର ଲୋକେ ପ୍ରତିକ୍ରିୟା ରଖିଛନ୍ତି । ପରିବାର ଲୋକ ପରିସ୍ରା ବେଳର ଭିଡିଓକୁ ପୁରୁଣା କହିବା ସହ ନିର୍ବାଚନ ଆଗକୁ ଥିବାରୁ ଏହାକୁ ସାମ୍ନାକୁ ଅଣାଯାଇଥିବା କହିଛନ୍ତି । ଅଭିଯୁକ୍ତ ଶୁକ୍ଳାର ଭଉଣୀ କହିଛନ୍ତି, ଏହା ଏକ ପୁରୁଣା ଭିଡିଓ । ଏବେ କେବଳ ରାଜନୀତିକ ଓ ନିର୍ବାଚନ କାରଣ ପାଇଁ ଏହାକୁ ଭାଇରାଲ କରାଯାଇ ତାଙ୍କ ଭାଇକୁ ଗିରଫ କରାଯାଇଛି ।