କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ ଯିବା ପ୍ରସଙ୍ଗରେ କୁଳପତି ରଖିଲେ ପ୍ରତିକ୍ରିୟା । କହିଲେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି । ୩ ଜଣିଆ କମିଟି ଆସନ୍ତା ୧୨ ତାରିଖରେ ରିପୋର୍ଟ ଦେବା ପରେ ବିଦ୍ୟୁତ ବିଭାଗର ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହା ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ତେବେ ଏହି ଘଟଣାରେ ବିଶ୍ୱବିଦ୍ୟାଳୟର ଇଲେକଟ୍ରିକସିଆନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଏହାସହ କୁଳପତି ସନ୍ତୋଷ ତ୍ରିପାଠୀ କହିଛନ୍ତି, ଯେଉଁଠି ସମାବର୍ତ୍ତନ ଉତ୍ସବ ହେଉଥିଲା ସେହି ହଲର ଦାୟିତ୍ୱ ଇଡକୋ ନେଇଥିଲା । ଇଡକୋ ସେଠାରେ ଜେନେରେଟର ଯୋଗେ ବିଦ୍ୟୁତ ଯୋଗାଇଥିଲା । ଇଡକୋ ଯୋଗାଯୋଗ କରୁଛି କିନ୍ତୁ ସେମାନେ ଫୋନ୍ ବନ୍ଦ କରି ବସିଛନ୍ତି । ଆମେ ତାଙ୍କ ସହ ଯୋଗାଯୋଗ କରିପାରିନାହୁଁ । କିନ୍ତୁ ଘଟଣା ସମୟରେ ୮ ଜଣ ଇଡକୋ ଅଧିକାରୀ ଉପସ୍ଥିତ ଥିଲେ । ଏପରିକି ପୂର୍ବରୁ ବିଦ୍ୟୁତ୍ ସରବରାହର ବ୍ୟବସ୍ଥାର ଯାଞ୍ଚ ମଧ୍ୟ ସରିଥିଲା । ୩ ଦିନ ପର୍ଯ୍ୟନ୍ତ ହଲକୁ ବିଦ୍ୟୁତ୍ ସରବରାହର ରିହର୍ଲସଲ ମଧ୍ୟ ସରିଥିଲା । କିନ୍ତୁ କାହିଁକି ବିଦ୍ୟୁତ୍ କଟିଲା ତାହା ଯାଞ୍ଚ ପରେ ଜଣାପଡିବ । ଏଭଳି ହେବା ଉଚିତ୍ ନୁହେଁ, ମୋତେ ବହୁତ ଅପମାନ ଲାଗିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏଭଳି ଘଟିଛି ଏଥିପାଇଁ ମୁଁ ବହୁତ ଦୁଃଖିତ । ଏସବୁ ପାଇଁ ମୋତେ ଯଦି ଇସ୍ତଫା ଦେବାକୁ ପଡେ ତେବେ ଇସ୍ତଫା ମଧ୍ୟ ଦେଇଦେବି ।