ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ

ଦେଶୀ ଆପ ବ୍ୟବହାର କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, ସାଂସଦ; ଆତ୍ମନିର୍ଭର ଭାରତ ପ୍ରତିଯୋଗିତାରେ ବିଜୟୀ ହୋଇଥିଲା ଦେଶୀ ଆପ ‘କୁ’

164

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ ଟ୍ୱିଟ କରି ସେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ କେବଳ କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ କାହିଁକି ଏକାଧିକ ମନ୍ତ୍ରୀ ଓ ସାଂସଦ ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଆତ୍ମନିର୍ଭର ଭାରତ ପ୍ରତିଯୋଦିତାରେ ଏହି ଆପ ବିଜୟୀ ହୋଇଥିଲା । ତେଣୁ ସ୍ୱଦେଶୀକୁ ଗୁରୁତ୍ୱ ଦେଉଥିବା କେନ୍ଦ୍ର ସରକାର ‘କୁ’ ଆପର ବହୁଳ ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି ।

ସୋସିଆଲ ମିଡିଆରେ ମତ ପ୍ରକାଶ କରିବା ଏବଂ ପ୍ରତିକ୍ରିୟା ରଖିବାର ଏକ ପ୍ରମୁଖ ମାଧ୍ୟମ ଟ୍ୱିଟର ପାଲଟି ସାରିଥିବାବେଳେ ଏହି ଆମେରିକୀୟ କମ୍ପାନି ଏବେ ଭାରତ ସରକାରଙ୍କ ଟାର୍ଗେଟକୁ ଚାଲିଆସିଛି । ଆଉ ଏହାରି ଭିତରେ ଟ୍ୱିଟରକୁ ଟକ୍କର ଦେଉଛି ଦେଶୀ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ- ‘କୁ’ ଆପ୍ । ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ପ୍ଲାଟଫର୍ମରେ ଆପଟି ରହିଛି । ଏହାର ୱେବପେଜ ମଧ୍ୟ ରହିଛି । ଭାରତ ସରକାରଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚରେ ହୋଇଥିବା ଆତ୍ମନିର୍ଭର ଭାରତ ଆପ ପ୍ରତିଯୋଗିତାରେ ଏହି ଆପ୍ଲିକେସନଟି ବିଜୟୀ ହୋଇଥିଲା । ସେତେବେଳେ ଏହା ଲୋକଙ୍କ ଦୃଷ୍ଟିକୁ ସେତେଟା ଆସିନଥିଲା । କିନ୍ତୁ ହଠାତ ଏହି ଆପଟି ଏବେ ଚର୍ଚ୍ଚାକୁ ଚାଲିଆସିଛି ।

ଏହି ଘରୋଇ ଆପକୁ ବହୁଳମାତ୍ରାରେ ବ୍ୟବହାର କରିବା ପାଇଁ ଏବେ ସରକାର ପ୍ରୋତ୍ସାହିତ କରୁଛନ୍ତି । ଏଥିରେ ଟ୍ୱିଟର ଭଳି ଫିଚର୍ସ ରହିଛି । ବିଭିନ୍ନ ବ୍ୟକ୍ତିଙ୍କୁ ଏଥିରେ ଫଲୋ କରାଯାଇପାରିବ । ସେହିପରି ବ୍ରାଉଜ କରାଯାଇ ପାରିବ । ମେସେଜକୁ ଅକ୍ଷରରେ କିମ୍ବା ଅଡିଓ, ଭିଡିଓ ମାଧ୍ୟମରେ ପଠାଇ ହେବ । ଇଂରାଜୀ ସମେତ ୬ଟି ଭାରତୀୟ ଭାଷାର ବିକଳ୍ପ ମଧ୍ୟ ଏହି ଦେଶୀ ଆପରେ ରହିଛି । ‘କୁ’ ଆପକୁ ୩୦ ଲକ୍ଷ ଥର ଡାଉନଲୋଡ କରାଯାଇ ସାରିଥିବା ଜଣାପଡିଛି ।