ସମାଜକୁ ଜାତି ପ୍ରଥାରୁ ଉଦ୍ଧାର କରିବାକୁ ଆଜୀବନ ଥିଲେ ବ୍ରତୀ । ନାଗରିକଙ୍କୁ ଅଧିକାର ଦେବାକୁ ରଚନା କରିଥିଲେ ସମ୍ବିଧାନ । ଗାନ୍ଧୀ ଓ ନେହରୁଙ୍କ ସହିତ ଥିଲା ଆଜୀବନ ମତଭେଦ

789

କନକ ବ୍ୟୁରୋ: ଆଧୁନିକ ବୌଦ୍ଧ ଆନ୍ଦୋଳନର ସେନାପତି ତଥା ସମ୍ବିଧାନର ଜନକ ଭୀମରାଓ ଆମ୍ବେଦକରଙ୍କ ଆଜି ମହାପରାୟଣ ଦିବସ । ୬ ଡିସେମ୍ବର ୧୯୫୬ ମସିହାରେ ଏହି ମହାନ ବ୍ୟକ୍ତିଙ୍କର ଦେହାନ୍ତ ହୋଇଥିଲା । ଭାରତରେ ବୌଦ୍ଧ ଧର୍ମ ସଂକଟରେ ଥିବା ବେଳେ ସେ ବୌଦ୍ଧ ଧର୍ମ ଗ୍ରହଣ କରି ଆଜୀବନ ଏହାର ପ୍ରଚାର ଓ ପ୍ରସାର ପାଇଁ କାର୍ଯ୍ୟ କରିଥିଲେ । ସେ ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମୃତ୍ୟୁର ୩୪ ବର୍ଷ ପରେ ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା ।

ସେ ପରାଧିନ ଭାରତର ଅଛୁଆଁ ଜାତି କୁହାଯାଉଥିବା ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାମଜୀ ମାଲୋଜୀ ସକପାଲ ଓ ମାତାଙ୍କ ନାମ ଭୀମାବାଈ ରାମଜୀ ଥିଲା । ସେ ତାଙ୍କ ପିତା ମାତାଙ୍କର ୧୪ ତମ ସନ୍ତାନ ଥିଲେ । ତାଙ୍କ ପିତା ବ୍ରିଟିସ୍ ସେନାର ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ବାବା ସାହେବଙ୍କର ଜନ୍ମ ତାଙ୍କ ପିତା କାମ କରୁଥିବା ସେନା ଛାଉଣୀ ମଧ୍ୟରେ ୧୮୯୧ ଏପ୍ରିଲ ୪ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ଯେତେବେଳେ ପ୍ରାଥମିକ ଶିକ୍ଷା ପାଇଁ ବିଦ୍ୟଳୟରେ ନାମ ଲେଖା ଗଲା ସେତେବେଳେ ତାଙ୍କ ପିତା ସକପାଲ୍ ସାଙ୍ଗିଆ କାଟି ଆମ୍ବେଡକର ଲେଖିଦେଇଥିଲେ । ଏହି ସାଙ୍ଗିଆ ତାଙ୍କ ନିଜ ଗାଁ ଆମ୍ବଡୱେ ଆମ୍ବେଦକର ହୋଇଥିଲା ।

ଜାତିପ୍ରଥ ଯୋଗୁଁ ବାଲ୍ୟକାଳରେ ତାଙ୍କୁ ବିଭନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡିଥିଲା । ବିଦ୍ୟାଳୟ ହେଉ କି ଅନ୍ୟ କେଉଁଠି ସେ ଅନ୍ୟମାନଙ୍କ ସହିତ ବସି ପାରୁ ନଥିଲେ । ସେ ନିଚ୍ଚ ଜାତିର ହୋଇଥିବାରୁ ତାଙ୍କୁ ଅଲଗା ବସିବାକୁ ପଡୁଥିଲା । ସେ ବିଦ୍ୟାଳୟ ଗଲା ବେଳେ ଘରୁ ଏକ ଅଖା ନେଇ ଯାଉଥିଲେ । ବିଦ୍ୟାଳୟର ପିଅନ ତାଙ୍କୁ ପାଣି ଦେବା ବେଳେ ଉଚ୍ଚସ୍ଥାନରୁ ଟେକି ଦେଉଥିଲା ଓ ବାବା ସାହେବ ତାକୁ ଆଞ୍ଜୁଳିରେ ପିଉଥିଲେ । ଯଦି କୌଣସ କାରଣରୁ ପିଅନ ସ୍କୁଲରେ ଅନୁପସ୍ଥିତ ରହୁଥିଲେ ତେବେ ବାବା ସାହେବ ଶୋଷରେ ପୁଣି ଘରକୁ ଫେରୁଥିଲେ ।

ଏଭଳି ଅକଥନୀୟ ନିର୍ଯାତନା ତାଙ୍କ ମନରେ ସାହସ ଓ ଦାମ୍ଭୀକତା ଭରିଥିଲା । ଏହାଠୁ ସେ ନେତୃତ୍ୱ ନେବାର ଅଦିମ ସାହସ ଯୋଗାଡ କରିପାରିଥିଲେ । ଯାହାକୁ ପାଥେୟ କରି ସେ କେବଳ ଏକ ସଂପ୍ରଦାୟ ନୁହେଁ ସାରା ଦେଶର ନେତୃତ୍ୱ ନେବାରେ ସଫଳ ହୋଇଥିଲେ । ଅଛୁଁଆ ଜାତିର ପ୍ରଥମ ଛାତ୍ର ଭାବେ ସେ ବମ୍ବେର ପ୍ରସିଦ୍ଧ ଏଲିଫୋନଷ୍ଟୋନ କଲେଜ ଓ ବମ୍ବେ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର କୃତିତ୍ୱ ଅର୍ଜନ କରିପାରିଥିଲେ । ଖାଲି ସେତିକି ନୁହେଁ ପରେ ସେ କଲମ୍ବିୟା ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍ ଇକୋନମକସରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏଥିପାଇଁ ତାଙ୍କୁ ବଡୌଦାର ରାଜା ତୃତୀୟ ସାୟାଜୀ ରାଓ ଗାୟକୱାର୍ଡ ଛାତ୍ରବୃତ୍ତି ଯୋଗାଇ ଦେଇଥିଲେ ।

ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର ଓ ଆଇନ ଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା । ୧ ଏପ୍ରିଲ ୧୯୩୫ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା । ସେତେବେଳକୁ ବାବା ସାହେବ ଜଣେ ଆଗଧାଡିର ଭାରତୀୟ ଅର୍ଥଶାସ୍ତ୍ରୀ ଭାବେ ବେସ୍ ପରିଚିତ ଥିଲେ । ଏହି ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଉଦ୍ଧିଷ୍ଟ ‘ହିଲଟନ୍ ୟଙ୍ଗ କମିସନ’କୁ ସେ ବହୁ ମୂଲ୍ୟବାନ ପରାମର୍ଶ ମାନ ଦେଇଥିଲେ । ଯେଉଁଗୁଡିକ ଗ୍ରହଣ କରାଯାଇଥିଲା ମଧ୍ୟ ।

ଶିକ୍ଷା ସାରି ବିଦେଶରୁ ଫେରିବା ପରେ ସେ କିଛିଦିନ ଜଣେ ଘରୋଇ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ବ୍ୟବସାୟ ଓ ଅନେକ ସୁପ୍ରସିଦ୍ଧ ଶିକ୍ଷାନୁଷ୍ଟାନ ମାନଙ୍କରେ ସେ ଅଧ୍ୟପକ ଭାବେ କାମ କରିଛନ୍ତି । ଅନ୍ୟପଟେ ସେ ସବୁବେଳେ ପଢା ପଢି କରିବାକୁ ଭଲ ପାଉଥିବାରୁ ତାଙ୍କ ବ୍ୟକ୍ତିଗତ ପାଠାଗାରରେ ୫୦ ହଜାରରୁ ଅଧିକ ପୁସ୍ତକ ଥିଲା । ସେ ଏତେସବୁ କଥାରେ ପାରଙ୍ଗମ ଥିଲେ ବି ସମାଜରୁ ଜାତିପ୍ରଥା ଉଚ୍ଛେଦ କିଭଳି କରାଯାଇପାରିବ ସେ ନେଇ ସେ ବେସ୍ ଚିନ୍ତିତ ଥିଲେ । ସେ ନିଚ୍ଚ ଜାତିର ହୋଇଥିବାରୁ ତାଙ୍କ ଜ୍ଞାନ ଓ ଯୋଗ୍ୟତାକୁ ପଛରେ ପକାଇ ବିଭିନ୍ନ ସ୍ଥାନରେ ସେ ଅପମାନିତ ହେଉଥିଲେ । ଏହାପରେ ସେ ସମାଜରୁ ଜାତିପ୍ରଥା ଉଚ୍ଛେଦ ପାଇଁ ସଂଗ୍ରାମ ଆରମ୍ଭ କଲେ ଓ ଶେଷରେ ସଫଳ ବି ହୋଇଥିଲେ ।

ଏକଦା ସେ ଲେଖିଥିଲେ ଭାରତ ହେଉଛି ଅସମାନତାର ଦେଶ ତେଣୁ ଦେଶର ମଙ୍ଗଳ ପାଇଁ ଦେଶର ନାଗରିକ ହିସାବରେ ଅସ୍ପୃଶ୍ୟତ ନିବାରଣ ମୋର ଜନ୍ମଗତ ଅଧିକାର । ୨୫ ଡିସେମ୍ବର ୧୯୨୭ ମସିହାରେ ତାଙ୍କ ନେତୃତ୍ୱରେ ହଜାର ହଜାର ଦଳିତ ଏକତ୍ରିତ ହୋଇ ‘ମନୁସ୍ମୃତି’ ପୋଡିଥିଲେ । ଏବେ ବି ଆମ୍ବେଦକରବାଦୀ ଦଳିତ ମାନେ ୨୫ ଡିସେମ୍ବରକୁ ‘ମନୁସ୍ମୃତି ଦହନ ଦିବସ ’ ଭାବେ ପାଳନ କରନ୍ତି ।

୧୯୩୦ ମସିହାରେ ଦଳିତ ମାନେ ମନ୍ଦିର ପ୍ରବେଶ ନେଇ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ ବାବା ସାହେବ । ତାଙ୍କ ନେତୃତ୍ୱରେ ୧୫ ହଜାର ଦଳିତ ଭାଇ ଭଉଣୀ ମିଳିତ ଭାବେ ନାଶିକସ୍ଥିତ ‘କାଲାରାମ’ ମନ୍ଦିରରେ ପ୍ରବେଶ କରିଥିଲେ । ସେ ରାଜନୀତିକୁ ଫେରିଥିଲେ ବି ତାଙ୍କର ମହାତ୍ମା ଗାନ୍ଧୀ ଓ ନେହରୁଙ୍କ ସହିତ ଅନେକ ମତ ପାର୍ଥକ୍ୟ ଥିଲା । ଆମ୍ବେଦକର ସେ ଦୁହିଁକୁ ବେସ୍ ସମାଲୋଚନା କରୁଥିବାର ଜଣାପଡେ ।

୧୯୩୬ ରେ ସେ ଇଣ୍ଡିପେଣ୍ଡେଣ୍ଟ୍ ଲେବର ପାର୍ଟି ନାମରେ ଏକ ରାଜନୈତିକ ସଂଗଠନ ଗଠନ କରିଥିଲେ । ୧୯୩୭ ବମ୍ବେ ସେଣ୍ଟ୍ରାଲ ଲେଜିସଲେଟିଭ୍ ଆସେମ୍ବଲି ନିର୍ବାଚନରେ ତାଙ୍କ ଦଳର ବିପୁଳ ବିଜୟ ହୋଇଥିଲା । ହେଲେ ୧୯୫୨ ମସିହାରେ ଦେଶରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଆମ୍ବେଦକର ବମ୍ବେ – ଉତ୍ତର ସଂସଦୀୟ କ୍ଷେତ୍ରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହି ନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସ ପ୍ରାର୍ଥୀ ନାରାୟଣ କଜରୋଲକର ଏକତା ବାବା ସାହେବଙ୍କର ବେସ୍ ଘନିଷ୍ଟ ଥିଲେ ।

୧୯୫୪ ରେ ଉପ-ନିର୍ବଚନ ଲଢି ପୁଣି ପରାଜିତ ହୋଇଥିଲେ ବାବା ସାହେବ । ଦ୍ୱିତୀୟ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ପରଲୋକ ହୋଇସାରିଥିଲା । ସେ ‘ୟୁନିଫର୍ମ ସିଭିଲ୍ କୋଡ’  କୁ ସମର୍ଥନ ଦେଇଥିଲେ ଓ ଧାରା ୩୭୦ କୁ ବିରୋଧ କରିଥିଲେ । ହେଲେ କୌଣସିଟିରେ ତାଙ୍କୁ ସମର୍ଥନ ମିଳିନଥଲା ।

ଆମ୍ବେଦକର ହିନ୍ଦୁ ଧର୍ମରେ ଥିବା ବିଭିନ୍ନ କୁ-ସଂସ୍କାର, ଜାତି ପ୍ରଥା ଆଦିକୁ ନେଇ ସାରା ଜୀବନ ବ୍ୟଥିତ ଥିଲେ । ତାଙ୍କର ସ୍ଲୋଗାନ ଥିଲା ମୁଁ ଅଛୁଆଁ ହିନ୍ଦୁ ଭାବେ ଜନ୍ମ ହୋଇଛି ହେଲେ ଅଛୁଆଁ ହୋଇ ମରିବି ନାହିଁ । ଦେଶ ସ୍ୱାଧୀନ ହେବା ପରେ ସମ୍ବିଧାନ କାର୍ଯ୍ୟକାରୀ ହେଲା । ଏହା ପରେ ସେ ଧର୍ମ ପରିବର୍ତ୍ତନ କରିବାକୁ ଚିନ୍ତା କରି ଅନେକ ସିଖ୍ ଧର୍ମଗୁରୁଙ୍କ ସହ ଆଲୋଚନା କରିଥିଲେ । ହେଲେ ଧର୍ମଗୁରୁମାନଙ୍କର ବାଣୀ ତାଙ୍କ ମନକୁ ପାଇଲା ନାହିଁ । ଏହାପରେ ସେ ବୈଦ୍ଧ ଧର୍ମ ଉପରେ ପଢାପଢି ଆରମ୍ଭ କରିଦେଲେ । ଏହାସହ ବର୍ମା ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ବୌଦ୍ଧ ସମ୍ମିଳନୀରେ ଯୋଗଦେଇଥିଲେ । ୧୯୫୫ ସେ ଭାରତୀୟ ବୌଦ୍ଧ ମହାସଭା ଗଠନ କରିଥିଲେ । ଏହାର ଗୋଟିଏ ବର୍ଷ ପରେ ସେ ‘ଦ ବୁଦ୍ଧ ଆଣ୍ଡ ହିଜ୍ ଧର୍ମ’ ନାମକ ଏକ ପୁସ୍ତକ ରଚନା କରିଥିଲେ । ୧୪ ଅକ୍ଟୋବର ୧୯୫୬ ରେ ସେ ତାଙ୍କ ପତ୍ନୀ ଓ ପ୍ରାୟ ୫ ଲକ୍ଷ ଅନୁଗାମୀଙ୍କ ସହ ନାଗପୁରରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ସେ ବୁଦ୍ଦ ଅର କାଲମାର୍କ୍ସ ନାମକ ଏକ ପୁସ୍ତକ ରଚନା କରିବା ଆରମ୍ଭ କରିଥିଲେ । ହେଲେ ମୃତ୍ୟୁ ପୂର୍ବରୁ ତାହା ସମ୍ପୁର୍ଣ୍ଣ ହୋଇପାରି ନଥିଲା ।

୧୯୦୬ ମସିହାରେ ତାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା ସେ ୯ ବର୍ଷ ବୟସ୍କା ରମାବାଇଙ୍କୁ ବିବାହ କରିଥିଲେ । ଏହାବି ଥିଲା ବିଚିତ୍ର ବାହାଘର । ଏକ ହାଟ ଭିତରେ ଦୋକାନ ବଜାର ବନ୍ଦ ହେବା ପରେ ସେଠାରେ ବେଦି ବନ୍ଧା ହୋଇ ତାଙ୍କର ବିବାହ ହୋଇଥିଲା । ୧୯୩୫ ରେ ରୋଗରେ ପଡି ରମାବାଇଙ୍କର ଦେହାନ୍ତ ହୋଇଥିଲା । ୧୯୪୦ ରେ ଆମ୍ବେଦକର ମଧୁମେହ ରୋଗରେ ପୀଡିତ ହୋଇଥିଲେ। ସେ ବମ୍ବେର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶାରଦା କବୀର ନାମକ ଜଣେ ବ୍ରାହ୍ମଣ ଡାକ୍ତର ତାଙ୍କୁ ଭେଟିଥିଲେ । ଡାକ୍ତର ଜଣଙ୍କ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କଥାକୁ ସମ୍ମାନ ଦେଇ ୧୯୪୮ ମସିହାରେ ସେ ଡାକ୍ତର ଶାରଦାଙ୍କୁ ବିବାହ କରିଥିଲେ । ବିବାହ ପରେ ଶାରଦା ଦେଶବାସୀଙ୍କ ମଧ୍ୟରେ ମାଈ ବୋଲି ପରିଚୟ ପାଇଥିଲେ । ୬ ଡିସେମ୍ବର ୧୯୫୬ ରେ ବାବା ସାହେବଙ୍କ ପରଲୋକ ପର୍ଯ୍ୟନ୍ତ ଦୁହେଁ ଏକତ୍ର ଦିଲ୍ଲୀରେ ରହୁଥିଲେ ।