ଆକ୍ରମଣ ଘଟଣାରେ ମୁହଁ ଖୋଲିଲେ ଇମ୍ରାନ୍ ଖାନ୍ : ହସ୍ପିଟାଲରୁ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଆକ୍ରମଣ ହେବ ବୋଲି ଜାଣିଥିଲି

149

କନକ ବ୍ୟୁରୋ : ଗୁଳିମାଡ଼ିରେ ଆହତ ହେବା ପରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଲାହୋରର ଏକ ଘରୋଇ ହସ୍ପିଟାଲରେ ସାମ୍ବାଦିକ ସମ୍ମିଳନୀ କରି ଇମ୍ରାନ କହିଛନ୍ତି, ସେ ଜାଣିଥିଲେ ତାଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି । ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା । ତାଙ୍କ ଗୋଡ଼ରେ ୪ଟି ଗୁଳି ବାଜିଥିବା କହିବା ସହ ଆଘାତ ହୋଇଥିବା ସ୍ଥାନ ଗୁଡ଼ିକୁ ଦେଖାଇଥିଲେ ଇମ୍ରାନ ଖାନ ।

ତାଙ୍କ ଦଳର ଏକାଧିକ ନେତାଙ୍କୁ ଧମକପୂର୍ଣ୍ଣ ଫୋନ ଆସିଥିବା କଥା ମଧ୍ୟ କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ଏହି ସମୟରେ ହସ୍ପିଟାଲରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର, ଗୋଡ଼ର ଏକ୍ସରେ କପି ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଥିଲେ । ଏହି ଗୁଳିକାଣ୍ଡ ଘଟଣାରେ ମୁଖ୍ୟତଃ ୩ ଜଣଙ୍କୁ ଦାୟୀ କରିଛନ୍ତି ଇମ୍ରାନ । ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ, ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସ୍ଆଇ ମୁଖ୍ୟ ଫେଜଲ ନାସୀରଙ୍କୁ ଦାୟୀ କରିଛନ୍ତି । ତେବେ ଏହି ଅଭିଯୋଗକୁ ସେହବାଜ୍ ସରିଫ ସରକାର ଖଣ୍ଡନ କରିଥିବା ବେଳେ ଘଟଣାର ଏକ ନିରପେକ୍ଷ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ପରେ ପାକିସ୍ତାନରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ବଲୁଚିସ୍ତାନ, ପେଶାୱରରେ ପିଟିଆଇ କର୍ମୀଙ୍କମାନେ ପ୍ରଦର୍ଶନ କରିଛନ୍ତି । ସେନାକାର୍ଯ୍ୟାଳୟ ଜୋରଦାର ବିକ୍ଷୋଭ କରାଯାଇଛି ।