ସ୍କୁଲର ମଧ୍ୟାହ୍ନ ଭୋଜନରେ ରହିବ ସ୍ୱଚ୍ଛତା । ହାଇଜେନିକ ଖାଦ୍ୟ ପ୍ରସ୍ତୁତି ପାଇଁ ରୋଷେୟା ଓ ସହାୟକଙ୍କୁ ଦିଆଯିବ ତାଲିମ ।

577

କନକ ବ୍ୟୁରୋ :ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ପାଇଁ ସରକାରଙ୍କ ପ୍ରସ୍ତୁତି । ଆସନ୍ତାକାଲିଠାରୁ ମିଡ ଡେ ମିଲର ରୋଷେୟା ଏବଂ ସହାୟକଙ୍କୁ ଦିଆଯିବ ତାଲିମ । ଖାଦ୍ୟର ସୁରକ୍ଷା ଓ ହାଇଜିନ ଖାଦ୍ୟ ପ୍ରସ୍ତୁତ କରିବା । ନିଜକୁ କେମିତି ସଫା ଏବଂ ସ୍ୱଚ୍ଛ ରଖିବେ । ଖାଦ୍ୟକୁ କିଭଳି ସ୍ୱଚ୍ଛତାର ସହ ତିଆରି କରିବେ, ଖାଦ୍ୟ ଯେଉଁଠି ସଂରକ୍ଷଣ କରି ରଖାଯାଉଛି ତାକୁ କେମିତି ସ୍ୱଚ୍ଛ ଭାବେ ରଖିବେ ସେ ନେଇ ପ୍ରଶିକ୍ଷଣ ଦିଆଯିବ ।

ମିଶନ ଶକ୍ତି ଭବନରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ଆଠଟି ପର୍ଯ୍ୟାୟରେ ହେବ । ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦିଆଯିବ । ସେମାନେ ତାଲିମ ନେବା ପରେ ବ୍ଲକସ୍ତରରେ ଅନ୍ୟ ରୋଷେୟା ଓ ସହାୟକଙ୍କୁ ତାଲିମ ପ୍ରଦାନ କରିବେ ।
ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଡାଲି ଓ ଭାତରୁ ପୋକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳେ । ଏପରିକି କିଛି ସ୍ଥାନରେ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ଛାତ୍ରଛାତ୍ରୀ ଖାଇବାକୁ ଅମଙ୍ଗ ହେଉଛନ୍ତି । ଏଭଳି ସ୍ଥଳେ ରୋଷେୟା ଓ ସହାୟକଙ୍କୁ ରୋଷେଇରେ ସ୍ୱଚ୍ଛତା ରଖିବାକୁ ଯେଉଁ ଟ୍ରେନିଂ ଦିଆଯିବ ତାହା ବେଶ ସହାୟକ ହେବ ।