ପୋଖରୀରେ ଜଳ ବିଦ୍ୟୁତ ପ୍ରକଳ୍ପ: ଉତ୍ପାଦିତ ବିଦ୍ୟୁତରୁ ଆଲୋକିତ ହେଉଛି ତିବ୍ଦତୀୟ ପର୍ଯ୍ୟଟନ କ୍ଷେତ୍ର

179

କନକ ବ୍ୟୁରୋ: ବଡ ବଡ ଜଳଭଣ୍ଡାରରେ ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରକଳ୍ପ ତିଆରି ହୋଇଥାଏ । ଆଉ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଛୋଟିଆ ପୋଖରୀରେ ବି ବିଦ୍ୟୁତ ଉତ୍ପାଦନ ପାଇଁ ପ୍ରକଳ୍ପ ତିଆରି ହୋଇଛି । ଆଜ୍ଞା ହଁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ପୂରା ସତ, ବିଜ୍ଞାନ ଯୁଗରେ ଅସମ୍ଭବ କିଛି ବି ନୁହେଁ । ଏଭଳି ଏକ କ୍ଷୁଦ୍ର ଜଳପ୍ରକଳ୍ପ ତିଆରି କରି ଅନେକ ପ୍ରଶଂସା ସାଉଁଟିଛି ଗଜପତି ଜିଲ୍ଲା ପ୍ରଶାସନ ।

ଗଜପତି ଜିଲ୍ଲା ଜିରାଙ୍ଗ ସ୍ଥିତ ବୌଦ୍ଧ ମନ୍ଦିର ନିକଟରେ ରହିଛି ପଦ୍ମସମ୍ଭବ ମାନସରୋବର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତଥା ପ୍ରାକୃତିକ ଶକ୍ତିର ସୁବିନିଯୋଗ କରିବା ଉଦ୍ଦେଶ୍ୟରେ ପାହାଡି ଝରଣାରୁ ବହିଯାଉଥିବା ଜଳକୁ ସଠିକ ବିନିଯୋଗ କରି ଏହି ଜଳ ବିଦ୍ୟୁତ ପ୍ରକଳ୍ପ ତିଆରି କରାଯାଇଛି । ଜଳ ଉତ୍ସ ତଳେ ଛୋଟ ଟର୍ବାଇନ ବସାଇ ଏହି ଛୋଟ ଜଳ ବିଦ୍ୟୁକ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି ।

ଜଳଭଣ୍ଡାର ଠାରୁ ୧୪ ଫୁଟ ତଳେ ୧ କିଲୋ ୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ବିଶିଷ୍ଟ ଟର୍ବାଇନ ବସାଯାଇ ତାହାକୁ ପାଇପ ସଂଯୋଗ କରାଯାଇଛି । ଫଳରେ ଏହା ମଧ୍ୟରୁ ସେକେଣ୍ଡ ପ୍ରତି ୫୫ ଲିଟର ଜଳ ପ୍ରବାହିତ ହେଉଛି । ଯାହାକି ୩ ଲକ୍ଷ ୫୦ ହଜାର ବ୍ୟୟ ଅଟକଳରେ ଏକ କିଲୋୱାଟ କ୍ଷମତାର ବିଦ୍ୟୁତ ଉତ୍ପାଦନ ହେଉଛି । ଏହି ବିଦ୍ୟୁତକୁ ସୁବିନିଯୋଗ କରି ଜଳ ଭଣ୍ଡାର ଚାରିପଟେ ଏଲଇଡି ଲାଇଟ ଖଞ୍ଜା ଯାଇ ଆଲୋକୀକରଣ କରାଯାଇଛି ।

ଜିରାଙ୍ଗର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଆଉ ସେଠାରେ ଏବେ ଏଭଳି ଜଳବିଦ୍ୟୁତ ପ୍ରକଳ୍ପ ତିଆରି କରି ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯାଉଛି । ଫଳରେ ପର୍ଯ୍ୟଟକମାନେ ଦିନ ବ୍ୟତୀତ ରାତିରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପର ମନୋରମ ଦୃଶ୍ୟକୁ ଉପଭୋଗ କରିପାରୁଛନ୍ତି ।

ଗଜପତି ଜିଲ୍ଲାରେ ପାଇଲଟ ପ୍ରକଳ୍ପରେ ଆରମ୍ଭ ହୋଇଛି ଏହି ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟା । ପୂର୍ବତନ ଜିଲ୍ଲାପାଳ ଅନୁପ ଶାହାଙ୍କ ନିର୍ଦ୍ଦେଶରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଯନ୍ତ୍ରୀ ନଗେନ୍ଦ୍ର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଦ୍ୟୁତ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଜୁଲାଇ ୨୬ ତାରିଖରେ ପ୍ରଥମେ ଏହି ବିଦ୍ୟୁତ ଜଳ ପ୍ରକଳ୍ପକୁ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା ।

ମାଇକ୍ରୋ ଟରବାଇନ ଯୋଗେ କ୍ଷୁଦ୍ର ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ଘଟଣା ଗଜପତି ଜିଲ୍ଲାରେ ପ୍ରଥମ । ଏହି ବିଦ୍ୟୁତ ପ୍ରକଳ୍ପ ତିଆରି ପ୍ରଶାସନ ଅନେକ ପ୍ରଶଂସା ସାଉଁଟିଛି ସତ ହେଲେ ଏବେ ବି ଗଜପତି ଜିଲ୍ଲାରେ ଏମିତି ଅଞ୍ଚଳ ରହିଛି ଯେଉଁଠି ବିଦ୍ୟୁ ସେବା ପହଞ୍ଚି ପାରିନାହିଁ । ଯଦି ଏହି ପ୍ରକଳ୍ପ ଏହି ସବୁ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟକ୍ଷମ ହୋଇପାରନ୍ତା ତେବେ ଏଠାରେ ବସବାସ କରୁଥିବା ଲୋକ ମଧ୍ୟ ବିଦ୍ୟୁତ ଆଲୋକର ସୁବିଧା ପାଇପାରନ୍ତେ ।