କନକ ବ୍ୟୁରୋ : କୋଭିଡ ଆଳ ଦେଖାଇ ଛତ୍ରପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ଏଡାଇ ଦିଆଯାଇଥିବା ପୁଣିଥରେ ସ୍ପଷ୍ଟ ହୋଇଯାଇଛି । କାରଣ ଆଜି ଛତ୍ରପୁରରେ ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ହାଇଡ୍ରାମା । କନକ ନ୍ୟୁଜ ହାତରେ ଲାଗିଛି ଏହି ଡ୍ରାମାର ଏକ୍ସକ୍ଲୁସିଭ ଚିତ୍ର । ଏକ ହୋଟେଲ ଭିତରେ ଏହି ସମିତି ସଭ୍ୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି । ନିଜେ ଭିଡିଓ କରି ଏମାନେ ଅଭିଯୋଗ କରିଛନ୍ତି । ହାରିଯିବା ଭୟରେ ପୋଲିସ ପ୍ରଶାସନକୁ ଲଗାଇ ଏମାନଙ୍କୁ କଏଦ କରି ରଖାଯାଇଥିବା ଅଭିଯୋଗ ହୋଇଛି । ଆଜି ଦିନ ୧୨ଟାରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେବାକୁ ଥିବାବେଳେ ଛତ୍ରପୁର ବ୍ଲକର ୧୨ ଜଣ ସମିତି ସଭ୍ୟଙ୍କୁ ହୋଟେଲରେ ବନ୍ଦୀ କରି ଦିଆଯାଇଛି । ତୁରନ୍ତ ଏମାନଙ୍କୁ ଉଦ୍ଧାର କରାନଗଲେ ହୋଟେଲ ଛାତରୁ ଡେଇଁ ପଡିବାକୁ ଧମକ ଦେଇଛନ୍ତି ଅଟକ ଥିବା ସମିତି ସଭ୍ୟ ।
ଗତ ମାସ ୧୨ ତାରିଖରେ ବ୍ଳକ ଚେୟାରମ୍ୟାନ ନିର୍ବାଚନ ପାଇଁ ପ୍ରଥମେ ଗୋଟିଏ ଗୋଷ୍ଠୀର ୧୨ ସଭ୍ୟ ଓ ପରେ ୬ ସମିତି ସଭ୍ୟ ଆସିଥିଲେ । ହେଲେ ହଠାତ୍ ଏହି ୬ ଜଣ କହିଥିଲେ ଯେ, ସେମାନେ ଅସୁସ୍ଥ ଅନୁଭବ କରୁଛନ୍ତି । ଆଉ ଏହା ପରେ ସେମାନଙ୍କୁ କୋଭିଡ ପରୀକ୍ଷା ପାଇଁ ପଠାଗଲା ଓ ରିପୋର୍ଟ ପଜିଟିଭ୍ ଆସିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଗଲା । ହେଲେ ନିର୍ବାଚନ ସ୍ଥଗିତ ହେବା ପଛରେ ଅନ୍ୟ ଏକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି । ଏଠାରେ ଅସନ୍ତୁଷ୍ଟ ବିଜେଡିର ୯ ସମିତି ସଭ୍ୟ ଥିବା ବେଳେ ବିଧାୟକଙ୍କ ସମର୍ଥକ ୬ ଜଣ ସମିତି ସଭ୍ୟ ଅଛନ୍ତି । ବାମଦଳର ୩ ଜଣ ଅଛନ୍ତି । ହେଲେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ବାମ ଦଳ ସହ ହାତ ମିଳାଇଛି । ଫଳରେ ବ୍ଲକ ଚେୟାରମ୍ୟାନ ପଦବୀ ଏହି ଗୋଷ୍ଠୀ ହାତେଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେଣୁ କୋଭିଡ ବାହାନା କରି ଏହି ନିର୍ବାଚନକୁ ସ୍ଥଗିତ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଛତ୍ରପୁର ବିଧାୟକ ସୁବାସ ବେହେରା ଓ ତାଙ୍କ ସମର୍ଥକ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ । ହେଲେ ଆଜିର ଏହି ଭିଡିଓ ପୁଣିଥରେ ପୁରା ଘଟଣା ଉପରେ ବିରାଟ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ପ୍ରକୃତରେ ୬ ସମିତି ସଭ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ ନା ହାରିବା ଭୟରେ ବିଧାୟକଙ୍କ ଇଙ୍ଗିତରେ ନିର୍ବାଚନକୁ ସ୍ଥଗିତ ରଖାଗଲା ସେନେଇ ସନ୍ଦେହ ବଢିବାରେ ଲାଗିଛି ।