ଆଇପିଏଲ ବ୍ୟାଟେଲ ! ବାଙ୍ଗାଲୋରକୁ ହରାଇ ପ୍ଲେ ଅଫରେ ହାଇଦ୍ରାବାଦ ।

63

ଆଇପିଏଲର ୩୯ତମ ମ୍ୟାଚରେ ବାଙ୍ଗାଲୋରକୁ ମାତ ଦେଇ ପୁଣି ଥରେ ନିଜ ଜଲୱା ଦେଖାଇଛି ସନ ରାଇଜର୍ସ ହାଇଦ୍ରାବାଦ । ପୁଣି ଥରେ ଏକ ଲୋ ସ୍କୋରିଂ ମ୍ୟାଚରେ ଦଳ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇପିଏଲ ୨୦୧୮ର ଏକ ରୋମାଞ୍ଚକର ଲିଗ ମ୍ୟାଚରେ ହାଇଦ୍ରାବାଦ ବାଙ୍ଗାଲୋରକୁ ୫ ରନରେ ପରାସ୍ତ କରିଛି । ବାଙ୍ଗାଲୋର ତରଫରୁ ଅଧିନାୟକ ବିରାଟ କୋହଲି ୩୦ ବଲରେ ୩୯ ରନ କରିଥିଲେ ମଧ୍ୟ କଲିନ ଡିଗ୍ରାଣ୍ଡହୋମ ୨୯ ବଲରେ ୩୩ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଉପଯୁକ୍ତ ସହଯୋଗ ଦେଇପାରିନଥିଲେ । ହାଇଦ୍ରାବାଦ ତରଫରୁ ସକିବ ଅଲ ହସନ ୩୬ ରନ ଦେଇ ୨ଟି ୱିକେଟ ନେଇଥିଲେ । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଦଳ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ହାଇଦ୍ରାବାଦ ପ୍ରଥମରୁ ଆଲେକ୍ସ ହେଲ୍ସ ଓ ଶିଖର ଧୱନଙ୍କ ୱିକେଟ ହରାଇ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଅଧିନାୟକ କେନ ୱିଲିୟମସନ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରି ଇନିଂସକୁ ସମ୍ଭାଳିଥିଲେ । ସେ ୩୯ ବଲରେ ୫୬ ରନ ସଂଗ୍ରହ କରି ଉମେଶ ଯାଦବଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ସକିବ ଅଲ ହସନ ମଧ୍ୟ ୩୨ ବଲରେ ୩୫ ରନ ସଂଗ୍ରହ କରି ସାଉଦୀଙ୍କ ବଲରେ ଆଉଟ ହୋଇଥିଲେ । ଏହା ପୂର୍ବରୁ ବାଙ୍ଗାଲୋର ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଅପରିବର୍ତ୍ତିତ ରହିଥିବାବେଳେ ବାଙ୍ଗାଲୋର ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ ଖେଳି ୮ ବିଜୟ ଓ ୨ ପରାଜୟ ସହ ୧୬ ପଏଣ୍ଟ ପାଇ ନିଜ ସ୍ଥିତିକୁ ସୁଦୃଢ କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗାଲୋର ଦଳ ୧୦ଟି ମ୍ୟାଚ ଖେଳି ମାତ୍ର ୩ଟିରେ ଜିତିଥିବାବେଳେ ୭ଟି ମ୍ୟାଚରେ ପରାଜୟ ବରଣ କରି ମାତ୍ର ୬ ପଏଣ୍ଟ ପାଇଛି । ତେବେ ଉତ୍ତମ ବ୍ୟାଟିଂ ପ୍ରଦର୍ଶନ ପାଇଁ ହାଇଦ୍ରବାଦର ଅଧିନାୟକ କେନ ୱିଲିୟମସନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଥିଲା ।