ଏମିତି ବି ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ… । ୧୧୭ ଥର କଟିଲାଣି ଚାଲାଣ, ଏଯାଏଁ ଦେଉନାହାନ୍ତି ଜରିମାନା ।

510

କନକ ବ୍ୟୁରୋ : ଟ୍ରାଫିକ ନିୟମ ଭାଙ୍ଗିଲେ ଆଉ ଗାଡି ଚାଳକଙ୍କୁ ନିସ୍ତାର ମିଳୁନି । ଟ୍ରାଫିକ ପୋଲିସ ନଜରରୁ ବର୍ତ୍ତିଗଲେ ମଧ୍ୟ ସିସିଟିଭି କ୍ୟାମେରା ନଜରରୁ ବର୍ତ୍ତିବା ଆଉ ସହଜ ହୋଇ ନାହିଁ । ଏଭଳି ସ୍ଥଳେ ନିୟମ ଭାଙ୍ଗିଲେ ତୁରନ୍ତ ଗାଡି ନମ୍ବରରେ ଚାଲାଣ କଟୁଛି । କିନ୍ତୁ ହାଇଦ୍ରାବାଦ ଟ୍ରାଫିକ ପୋଲିସ ଏମିତି ଜଣେ ଗାଡି ଚାଳକଙ୍କୁ ଧରିଛି ଯାହାଙ୍କ ନାଁରେ ଏବେ ପର୍ଯ୍ୟନ୍ତ ୧୧୭ ଥର ଚାଲାଣ କଟି ସାରିଛି । ହାଇଦ୍ରାବାଦରେ ନିୟମିତ ଟ୍ରାଫିକ ଚେକିଂ ଚାଲୁଥିବା ବେଳେ ଯେଉଁ ବ୍ୟକ୍ତିଙ୍କୁ ଟ୍ରାଫିକ ପୋଲିସ ଧରିଛି ତାଙ୍କ ନାଁରେ ଗତ ୭ ବର୍ଷ ମଧ୍ୟରେ ୧୧୭ ଥର ଚାଲାଣ କଟିଛି । କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଚାଲାଣ କାଟିବା ପରିବର୍ତ୍ତେ ପୋଲିସକୁ ବାରମ୍ବାର ଚକମା ଦେବାରେ ସଫଳ ହୋଇଛି । ଆଉ ସବୁଠୁ ବଡ କଥା ହେଲା, ଏବେ ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କ ନାଁରେ ପ୍ରାୟ ୩୦ ହଜାର ଟଙ୍କାର ଜରିମାନା ଲାଗିଛି ।

ହାଇଦ୍ରାବାଦର ଫରୀଦ ଖାନ୍ ନାମକ ବ୍ୟକ୍ତିଙ୍କ ନାଁରେ ୧୧୭ ଥର ଚାଲାଣ କଟିଛି । ଆଉ ଏ ବାବଦକୁ ପ୍ରାୟ ୩୦ ହଜାର ଟଙ୍କା ଜରିମାନା ଫରୀଦଙ୍କ ନାଁରେ ରହିଛି । ତେବେ ନାମପଲ୍ଲୀ ଅଞ୍ଚଳରେ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫରୀଦଙ୍କୁ ଧରିଥିଲା ଟ୍ରାଫିକ ପୋଲିସ । ଆଉ ଗାଡିର ପଞ୍ଜୀକରଣ କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଏହି ଗାଡି ଉପରେ ୧୧୭ ଥର ଚାଲାଣ କଟାଯାଇଛି ଏବଂ ୨୯,୭୨୦ ଟଙ୍କାର ଜରିମାନା ରହିଛି ।

ଫରୀଦ ଖାନ୍ ଲଗାତାର ଟ୍ରାଫିକ ନିୟମ ଭାଙ୍ଗୁଥିଲେ । ଆଉ ପ୍ରତିଥର ତାଙ୍କ ଗାଡି ନାଁରେ ଚାଲାଣ କଟୁଥିଲା । କେତେବେଳେ ବିନା ହେଲମେଟରେ ତ ପୁଣି କେତେବେଳେ ଅନ୍ୟ ଉପାୟରେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ଫରୀଦ୍ । କିନ୍ତୁ ୭ ବର୍ଷ ହେବ ଯେତେ ଚାଲାଣ କଟାଯାଇଛି ସେବାବଦକୁ ଟଙ୍କାଟିଏ ବି ଜରିମାନା ଦେଇନାହାନ୍ତି ଫରୀଦ । ଆଉ ଏହା ଜଣାପଡିବା ପରେ ଫରୀଦଙ୍କ ସ୍କୁଟିକୁ ଜବତ କରିଛି ପୋଲିସ । ଏହାସହ ଚାଲାଣ ବାବଦକୁ ବକେୟା ପଡିଥିବା ଟଙ୍କା ପୈଠ କରି ସ୍କୁଟି ନେବାକୁ କୁହାଯାଇଛି । କିନ୍ତୁ ଫରୀଦଙ୍କ ପକ୍ଷରୁ ଏଯାଏଁ ଚାଲାଣ ବାବଦକୁ କୌଣସି ଟଙ୍କା ଦିଆଯାଇନାହିଁ । ମୋଟରଯାନ ଆଇନ ଅଧିନିୟମ ଅନୁସାରେ କୌଣସି ଗାଡି ଉପରେ ୧୦ରୁ ଅଧିକ ଥର ଚାଲାଣ କଟିବା ପରେ ମଧ୍ୟ ଜରିମାନା ଅର୍ଥ ପୈଠ କରାଯାଇନଥାଏ ତେବେ ଉକ୍ତ ଗାଡିକୁ ଜବତ କରାଯାଇପାରିବ । ଇ-ଚାଲାଣ ୱେବସାଇଟ ମୁତାବକ, ୨୦୧୪ ପରଠାରୁ ଜାରି କରଯାଉଥିବା ଅଧିକାଂଶ ଚାଲାଣ ବିନା ହେଲମେଟ କିମ୍ବା ଭୁଲ ସ୍ଥାନରେ ପାର୍କିଂ କରିଥିବା କାରଣରୁ କଟାଯାଉଛି । ଏହାଛଡା ଭୁଲ ଡ୍ରାଇଭିଂ ପାଇଁ ମଧ୍ୟ ଅନେକ ଚାଲାଣ କଟାଯାଇଛି ।