ଯେଉଁଠି ଘଟାଇଥିଲେ ଜଘନ୍ୟ ଅପରାଧ, ସେଇଠି ହେଲା ଅନ୍ତ । ହାଇଦ୍ରାବାଦରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର । ଅପରାଧର ଡେମୋ ଦେଖାଉଥିବା ବେଳେ ଖସି ପଳାଇବାକୁ କରୁଥିଲେ ଉଦ୍ୟମ

ସାରା ଦେଶ ମନାଇଲା ଉତ୍ସବ

688

କନକ ବ୍ୟୁରୋ: ସଫା ହେଲେ ସଇତାନ । ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମକାରୀଙ୍କୁ ପୋଲିସ ଏନକାଉଁଟର କରିଛି । ହାଇଦ୍ରାବାଦ ପୋଲିସ କହିଛି, ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସେଦିନର ପୁରା ଘଟଣା ଜାଣିବାକୁ ଉଦ୍ୟମ କରାଯାଉଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇଥିଲେ । ଏହାର ଜବାବରେ ଆତ୍ମରକ୍ଷା ପାଇଁ ପୁଲିସ ସେମାନଙ୍କୁ ଏନକାଂଉଟର କରିଛି । ବଡ କଥା ହେଉଛି, ଯେଉଁଠି ନୃଶଂସତାର ସୀମା ଟପି ସଇତାନମାନେ ଅପରାଧ ଘଟାଇଥିଲେ, ସେହି ସ୍ଥାନରେ ସେମାନଙ୍କ ଅନ୍ତ ଘଟିଛି ।

ମହମ୍ମଦ ଓରଫ ଆରିଫ, ପୋଲିସ ଏନକାଉଂଟରରେ ମୃତ । ଜୋଲୁ ନବୀନ ପୋଲିସ ଗୁଳିରେ ମୃତ । ଚିନ୍ନାକେଶବୁଲୁ ଓରଫ ଚିନ୍ନାର ପୋଲିସ କଲା ଅନ୍ତ । ଜୋଲୁ ଶିବା ପୋଲିସ ଏନକାଉଂଟରରେ ମୃତ । ହାଇଦ୍ରାବାଦ ଭେଟେନାରି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନକାଉଂଟର କରିଛି ସାଇବରାବାଦ ପୋଲିସ । ହାଇଦ୍ରାବାଦର ଯେଉଁ ୪୪ ନମ୍ବର ଜାତୀୟ ରାଜପଥରେ ଏମାନେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରିବା ପରେ ଜୀଅନ୍ତା ଜଳାଇ ଦେଇ ପିଙ୍ଗି ଦେଇଥିଲେ, ସେହି ସ୍ଥାନରେ ହିଁ ପୋଲିସ ଏମାନଙ୍କୁ ଗୁଳି କରି ହତ୍ୟା କରିଛି ।

ଡାକ୍ତରାଣୀ ହତ୍ୟା ଘଟଣାର ତଦନ୍ତ କରୁଥିବା ସାଇବରାବାଦ ପୋଲିସ ଶୁକ୍ରବାର ଭୋରୁ ସମସ୍ତ ୪ ଅଭିଯୁକ୍ତୁଙ୍କୁ ସାଙ୍ଗରେ ନେଇ ସେହି ସ୍ଥାନରେ ପହଂଚିଥିଲା, ଯେଉଁଠାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ଏମାନେ ଜୀଅନ୍ତା ଜାଳିଦେଇଥିଲେ । ୨୭ ନଭେମ୍ବରରେ କେମିତି ଘଟାଇଥିଲେ ସେହି ଜଘନ୍ୟ କାଣ୍ଡ ତାର ରିକ୍ରିଏସନ ବା ପୁନଃ ପ୍ରଦର୍ଶନ କରାଇବାକୁ ଚାହୁଁଥିଲା ପୋଲିସ । ପୋଲିସ ଯାଂଚର ଏହା ଏକ ପ୍ରକ୍ରିୟା ମଧ୍ୟ ।

୪ ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଂଚିଥିଲେ ୧୦ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ । ହାଇଦ୍ରାବାଦ ୪୪ ନମ୍ବର ଜାତୀୟ ରାଜପଥର ସେହି କଲଭର୍ଟ ନିକଟରେ ପହଂଚିଥିଲେ ଯେଉଁଠାରେ ଡାକ୍ତରାଣୀଙ୍କୁ ଜୀଅନ୍ତି ଜାଳି ଦେଇଥିଲେ ଅଭିଯୁକ୍ତମାନେ । ତେବେ ସେଠାରେ ପହଂଚିଲା ବେଳକୁ ଅଚାନକ ପୋଲିସ ନିକଟରୁ ବନ୍ଧୁ ଛଡାଇ ନେଇ, ଫେରାର ମାରିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ ।

ଅଭିଯୁକ୍ତମାନେ ଫେରାର ମାରିବାକୁ ଉଦ୍ୟମ କଲାବେଳେ ପୋଲିସ ଉପରକୁ ଗୁଳି ଚଳାଇବାରୁ ପ୍ରତିରକ୍ଷା ପାଇଁ ପାଲଟା ଗୁଳାମାଡ କରିଥିଲେ ବ୍ୟାକ ଅଫିସର । ସକାଳ ୬ଟା ୧୫ ଯାଏଁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ଶେଷରେ ପୋଲିସ ଗୁଳିରେ ଟଳି ପଡିଥିଲେ ସମସ୍ତ ୪ ଅଭିଯୁକ୍ତ । ପୋଲିସ ଏନକାଉଂଟର ସହ ଏହି ନର ରାକ୍ଷସ ମାନଙ୍କ ଅନ୍ତ ହୋଇଥିଲା । ଅଭିଯୁକ୍ତ ମାନଙ୍କୁ ଏନକାଉଂଟର କଲାବେଳେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ସକାଳୁ ପୁରା ଘଟଣା ସାମ୍ନାକୁ ଆସିବା ପରେ ଯେଉଁ ପୋଲିସ ଉପରେ ଲୋକେ ଅସନ୍ତୋଷ ଜାହିର କରୁଥିଲେ ସେହି ପୋଲିସକୁ ସାବାସିରେ ପୋତି ପକାଇଛନ୍ତି । ତେଲେଙ୍ଗାନା ପୋଲିସ ଉପରେ ବଢିଚାଲିଥିବା ଆକ୍ରୋଶ ଗୋଟିଏ ଝଟକାରେ ମିଳେଇ ଯାଇଛି । ଆତ୍ମରକ୍ଷା ପାଇଁ ହେଉପଛେ, ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଅପରାଧୀଙ୍କୁ ଏନକାଉଂଟର କରିଥିବାରୁ ପୋଲିସ ପାଇଁ ଲୋକଙ୍କ ସମ୍ମାନ ବହୁଗୁଣିତ ହୋଇଯାଇଛି ।