ହାଇଦ୍ରାବାଦରେ ଆଶ୍ଚର୍ଯ୍ୟ ଦୃଶ୍ୟ, ଏକାଥରେ ୪ ଶିଶୁଙ୍କ ଜନ୍ମ ଦେଲେ ୨୭ ବର୍ଷିୟା ମହିଳା

108

କନକ ବ୍ୟୁରୋ : ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ୪ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଶିଶୁମାନଙ୍କ ମଧ୍ୟରେ ଗୋଟିଏ କନ୍ୟା ଥିବା ବେଳେ ୩ ଟି ଶିଶୁପୁତ୍ର ରହିଛନ୍ତି । ମହିଳାଙ୍କୁ ଅପରେଶନ କରି ଶିଶୁ ଜନ୍ମ କରାଇଥିବା ଡାକ୍ତର କହିଛନ୍ତି କି ଏବେ ମା ଓ ୪ ଟି ଯାକ ଶିଶୁ ସୁସ୍ଥ ରହିଛନ୍ତି । ଡାକ୍ତରଙ୍କ କହିବା ମୁତାବକ ମଙ୍ଗଳବାର ସଂନ୍ଧ୍ୟାରେ ମହିଳା ଜଣଙ୍କ ମେଡିକାଲରେ ପହଂଚିଥିଲେ । ଏହାପରେ ତାଙ୍କର ସମସ୍ତ ପରୀକ୍ଷା କରାଯାଇ ତାଙ୍କୁ ଅପରେଶନ ଗୃହକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ମହିଳାଙ୍କୁ ଅପରେଶନ କରି ୪ ଟି ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ କରାଇଥିଲେ । ଡାକ୍ତରଙ୍କ କହିବା ଶିଶୁମାନେ ସୁସ୍ଥ ଥିବା ବେଳେ ସେମାନଙ୍କର ଓଜନ ୧ କିଲୋଗ୍ରାମରୁ ଅଧିକ ରହିଛି ।

ମହିଳାଙ୍କ ପ୍ରଥମରୁ ୨ ଟି ପିଲା ରହିଛନ୍ତି । ସେମାନଙ୍କ ଜନ୍ମ ବେଳେ ଅପରେଶନର ଆବଶ୍ୟକତା ପଡି ନଥିଲା । ତୃତୀୟ ଥର ମହିଳା ଜଣଙ୍କ ୪ ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ମହିଳା ଜଣଙ୍କ କହିଛନ୍ତି କି ତାଙ୍କୁ ପ୍ରଥମରୁ ଜଣାଥିଲା କି ତାଙ୍କ ଗର୍ଭରେ ୪ ଟି ଶିଶୁ ରହିଛନ୍ତି ।

ଡ. ସୋହେବା ଶୁକୁର କହିଛନ୍ତି କି ମହିଳା ଜଣଙ୍କ ଗର୍ଭବତୀ ହେବାର ଏହା ୩୪ ସପ୍ତାହ ଚାଲିଥିବା ବେଳେ ସେ ଦୁଇମାସ ହେବ ରକ୍ତଚାପ ପାଇଁ ଔଷଧ ସେବନ କରୁଥିଲେ । ତଥାପି ତାଙ୍କର ରକ୍ତଚାପ ନିୟନ୍ତ୍ରଣରେ ନଥିଲା । ଅପରେଶନ ସମୟରେ ମହିଳାଙ୍କ ରକ୍ତଚାପ ନିୟନ୍ତ୍ରଣରେ ନଥିବାରୁ ଅଧିକ ରକ୍ତଶ୍ରାବ ହୋଇଥିଲା । ହେଲେ ଡାକ୍ତରମାନଙ୍କ ପ୍ରଚେଷ୍ଠା ଫଳରେ ସୁରକ୍ଷିତ ଭାବେ ଅପରେଶନ କରାଯାଇ ପାରିଥିଲା । ଫଳରେ ମା ଓ ଶିଶୁ ସୁରକ୍ଷିତ ରହିଛନ୍ତି ।