ହାତ ପାହାନ୍ତାରୁ ଖସିଗଲା ହାଇଦର । କୋଲକାତାରେ ଥିବା ଖବର ପାଇ ପୁଲିସର ଚଢ଼ାଉ, ହେଲେ ଅଳ୍ପକେ ଛୁ ମାରିଲା ଗ୍ୟାଙ୍ଗଷ୍ଟର 

578

କନକ ବ୍ୟୁରୋ: ପୋଲିସ ହାତରୁ ଅଳ୍ପକେ ବର୍ତିଗଲା ହାଇଦର । ହଠାତ ପୋଲିସକୁ ଖବର ମିଳିଥିଲା କୋଲକାତାର ଏକ ସ୍ଥାନରେ ନିଜ ଲୋକଙ୍କ ପାଖରେ ଲୁଚି ରହିଛି ହାଇଦର । ଏହି ଖବର ପାଇବା କ୍ଷଣି ପୋଲିସ ଚେଷ୍ଟା କରିଥିଲା ହାଇଦର ପାଖରେ ପହଂଚିବା ପାଇଁ । କିନ୍ତୁ ହାତ ପାହାନ୍ତରୁ ଖସି ଯାଇଥିଲା ହାଇଦର । ବୋଧହୁଏ ଏହି ଖବର ତା ପାଖରେ ପହଂଚିସାରିଥିଲା । ପୋଲିସ ପହଂଚିବା ବେଳକୁ ହାଇଦର ଚକମା ଦେଇ ସେହି ଏରିଆରୁ ପାର ହୋଇଯାଇଥିଲା ।

କାହିଁକି ଧରାପଡୁନି ହାଇଦର । ଏହି ପ୍ରଶ୍ନର ଉତର ଖୋଜୁ ଖୋଜୁ ହାଇଦର ସମ୍ପର୍କରେ ପୋଲିସକୁ କିଛି ଏମିତି ତଥ୍ୟ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ହାଇଦରକୁ ଧରିବା ପାଇଁ ପୋଲିସ ଡାଳ ଡାଳରେ ଯାଉଥିବା ବେଳେ ହାଇଦର ପତ୍ର ପତ୍ରରେ ଯାଉଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ ହାଇଦର ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି ତାହା ଜାଣିଲେ ଆପଣ ଅବାକ ହୋଇଯିବେ ।

-ପୋଲିସକୁ ଚକମା ଦେବା ପାଇଁ ଗ୍ୟାଙ୍ଗଷ୍ଟର ହାଇଦର ବାରମ୍ବାର ଗାଡି ବଦଳାଉଛି । 

-ଏଟିଏମ୍ କାର୍ଡ ବ୍ୟବହାର କଲେ ଧରାପଡିବା ଭୟରେ କ୍ୟାସ କାରବାର କରୁଛି ହାଇଦର

-ଫେରାର ହେବାର ୫ ଦିନ ପୂର୍ବରୁ କଟକର ଏକ ଘରୋଇ ହସ୍ପିଟାଲରେ ଆଂଠୁ ଚିକିତ୍ସା କରିଥିଲା ହାଇଦର ।

-ଡାକ୍ତରଙ୍କୁ କହିଥିଲା, ଚିକିତ୍ସା ଶୀଘ୍ର ସରିଲେ କାମରେ ବାହାରକୁ ଯିବାର ଅଛି ।

ଯାହା ଜଣାପଡୁଛି ଫେରାର ହେବା ପାଇଁ ଷଡଯନ୍ତ୍ରର ନକ୍ସା ତିଆରି କରିଥିଲା ହାଇଦର । ଆଉ ସବୁ କିଛି ହେଉଥିଲା ପ୍ଲାନ ମୁତାବକ । କେମିତି କଟକ ଏସସିବିକୁ ଆସିବ, ସେଠାରେ କିପରି କ୍ୟାବିନରେ ରହିବ ଏବଂ ସୁରକ୍ଷା କର୍ମୀଙ୍କୁ କେମିତି ଚକମା ଦେବ ଏହାର ପୁରା ରଣନୀତି ପ୍ରସ୍ତୁତ ହୋଇଥିଲା ।

ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।

ପ୍ରଶ୍ନ-୧ ବୁର୍ଲା ମେଡିକାଲ ଥିବା ସତ୍ୱେ ଗ୍ୟାଙ୍ଗଷ୍ଟରକୁ କାହିଁକି ବାରମ୍ବାର ସମ୍ବଲପୁରରୁ କଟକ ଅଣାଯାଇଥିଲା?

ପ୍ରଶ୍ନ-୨ କଟକ ହସ୍ପିଟାଲରେ ତାଙ୍କୁ କେମିତି କ୍ୟାବିନ ମିଳିଲା ଓ କିଏ ଏଥିପାଇଁ ସୁପାରିଶ କରିଥିଲା? 

ପ୍ରଶ୍ନ-୩ ବୁର୍ଲା ମେଡ଼ିକାଲ ରେଫର କରିନଥିବା ସତ୍ୱେ ହାଇଦର କେମିତି ଆସିଲା କଟକ? 

ପ୍ରଶ୍ନ-୪ କିଡନୀ ରୋଗୀଙ୍କ ଖାଦ୍ୟପେୟ ନେଇ କଟକଣା ଥିବା ବେଳେ ସେ ବିରିୟାନୀ କେମିତି ଖାଉଥିଲା ? 

ସେପଟେ ଟୁଇଟ କରି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହ ଆମର ସହାନୁଭୁତି ରହିଛି । ଏ ପ୍ରକାରର ଅଣ ପେଶାଦାର ବକ୍ତବ୍ୟ ଦେବା ପାଇଁ ତାଙ୍କ ଉପରେ ବିଜେପି ଚାପ ପ୍ରୟୋଗ କରୁଛି । ଅନ୍ୟପକ୍ଷରେ ହାଇଦର ଫେରାର ପ୍ରସଙ୍ଗରେ ଯେତେବେଳେ ଗଣାମଧ୍ୟମ ପ୍ରତିନିଧିମାନେ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପଚାରିଥିଲେ, ସେତେବେଳେ ସେ କୌଣସି ଉତର ନ ଦେଇ ଚାଲିଯାଇଥିଲେ ।