କନକ ବ୍ୟୁରୋ : ଜମ୍ମୁ କଶ୍ମୀରରୁ 'ହାଇବ୍ରିଡ୍' ଆତଙ୍କବାଦୀ ଗିରଫ୍ । ସୁରକ୍ଷା ବାହିନୀକୁ ରାଜୌରୀ ଜିଲ୍ଲାରୁ ଏହି ହାଇବ୍ରିଡ୍ ଆତଙ୍କବାଦୀକୁ ଗିରଫ କରିଛନ୍ତି । ଗିରଫ ଆତଙ୍କବାଦୀର ନାଁ ହେଉଛି ଜାଫର ଇକବାଲ । ସେ ଲସ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ଇସାକର ଭାଇ ବୋଲି ଜଣାପଡ଼ିଛି । ଇକବାଲକୁ ଗିରଫ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି ।

Advertisment

ଜାଫର ଇକବାଲ ପାକିସ୍ତାନରେ ଥିବା ନିଜ ହାଣ୍ଡଲରମାନଙ୍କ ସହ ଯୋଗାଯୋଗରେ ଥିବାବେଳେ ଗୁଇନ୍ଦା ଏଜେନ୍ସିମାନେ ତାହା ଠାବ କରିଥିଲେ । ଗୁଇନ୍ଦା ଏଜେନ୍ସି ପକ୍ଷରୁ ଇନପୁଟ ମିଳିବା ପରେ ସ୍ଥାନୀୟ ପୁଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଅଂଗ୍ରଲା ଜଙ୍ଗଲରେ ଏକ ମିଳିତ ଅପରେସନ କରି ତାକୁ ଗିରଫ କରାଯାଇଥିଲା । ସେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପ୍ରସ୍ତୁତ ହେଉଥିଲା । ଗିରଫ ବେଳେ ତା ନିକଟରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ସହିତ ପ୍ରାୟ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ ହୋଇଛି ।

ହାଇବ୍ରିଡ୍ ଆତଙ୍କବାଦୀର ଅର୍ଥ ହେଉଛି ଯେଉଁ ଆତଙ୍କବାଦୀ ସମ୍ପର୍କରେ ସୁରକ୍ଷା ବାହିନୀ କିମ୍ବା ଗୁଇନ୍ଦା ଏଜେନ୍ସିମାନଙ୍କ ପାଖରେ କୌଣସି ତଥ୍ୟ ନଥିବ ଓ ସେ ଏକ ସାଧାରଣ ଲୋକ ଭଳି ଜୀବନଯାପନ କରୁଥିବ । ଉପରୁ ନିର୍ଦ୍ଦେଶ ମିଳିବା ପରେ ସେ ସୁଯୋଗ ଦେଖି ଆକ୍ରମଣ କରିବ ଓ ତାପରେ ପୁଣି ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବ । ଏପରି ଆତଙ୍କବାଦୀଙ୍କୁ ଠାବ କରିବା ବେଶ କଷ୍ଟକର ।