କନକ ବ୍ୟୁରୋ : ସମ୍ବାଦ ଭବନରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସାହିତ୍ୟିକଙ୍କ ଗହଣରେ ଉନ୍ମୋଚିତ ହୋଇଯାଇଛି ହୁସେନ ରବି ଗାନ୍ଧୀଙ୍କ କବିତା ପୁସ୍ତକ ‘ପୁନଶ୍ଚ ସାଲବେଗ’ । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଜଗନ୍ନାଥ ସଂସ୍କୃତି ଓ ସାଲବେଗଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତ୍ତମାନ ଯୁଗରେ ସାଲବେଗଙ୍କ ଭାବ ଫେରିଆସୁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ବୋଲି ସେ କହିଛନ୍ତି ।

Advertisment

ସେପଟେ କବିତା ପୁସ୍ତକ ସମ୍ପର୍କରେ କବି ହୁସେନ ରବି ଗାନ୍ଧୀ ମଧ୍ୟ ମତ ରଖିଥିଲେ । କବିତା ମାଧ୍ୟମରେ ସେ ସମାଜର ସଂକୀର୍ଣ୍ଣତା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି। ଏଥିରେ ସେ ଭକ୍ତ ସାଲବେଗଙ୍କୁ ଜଣେ ଚରିତ୍ର ଭାବେ ଅବତାରଣା କରିଛନ୍ତି। ଆମେ ଧୀରେଧୀରେ ମହାପୁରୁଷମାନଙ୍କର ଭାବଧାରା, ଉଦ୍ଦେଶ୍ୟ, ବିଚାର, ଦର୍ଶନ, ବିଶ୍ବାସ ଓ ଆଦର୍ଶକୁ ଭୁଲିବାରେ ଲାଗିଛେ। କେବଳ ତାଙ୍କ କାହାଣୀ ଓ ଚରିତ୍ରକୁ ହିଁ ମନେ ରଖିଛୁ। ହେଲେ ‘ପୁନଶ୍ଚ ସାଲବେଗ’ ପୁସ୍ତକ ଜରିଆରେ ସେ ସାଲବେଗଙ୍କ ଭାବକୁ ପୁଣି ଜନାଭିମୁଖୀ କରିବାର ପ୍ରୟାସ କରିଛନ୍ତି ବୋଲି କହିଥିଲେ। ପ୍ରେମ ଓ ବିରହର କବିତା ଲେଖୁଥିବା କବିମାନେ ସମ୍ପୂର୍ଣ୍ଣ ନୁହନ୍ତି। ଯଦି କବିତା ମାଧ୍ୟମରେ ଆମେ ସାମାଜିକ ପ୍ରସଙ୍ଗ, ସଂକୀର୍ଣ୍ଣତା, ସାମ୍ପ୍ରତିକ ସମୟର ଆହ୍ବାନ ଓ ସମ ସମାଜ ଗଠନର ଉପାଦାନ ଯୋଗାଇ ନ ପାରିବା ତେବେ ଆମ ସୃଜନ ଅସମ୍ପୂର୍ଣ୍ଣ ବୋଲି ସେ କହିଥିଲେ।