ଖୁସିର ପରିବାରରେ ବସା ବାନ୍ଧିଛି ଦୁଃଖ । ବିବାହ ଦୁଇ ବର୍ଷରେ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ୱାମୀ ଗୁରୁତର କିଡନୀ ରୋଗରେ ପୀଡିତ

181

କନକ ବ୍ୟୁରୋ: କଥାରେ କୁହନ୍ତି ଦୁଃଖ ଯେତେବେଳେ ଆସେ ସାଥିରେ ସାହିପଡିଶାଙ୍କୁ ନେଇ ଆସେ । ଏଇ ଯେମିତି ଦୁଃଖ ଏବେ ବାପିନଙ୍କ ଘରେ ବସା ବାନ୍ଧିଛି । ବିବାହର ଦୁଇ ବର୍ଷ ପରେ ଗୁରୁତର କିଡନୀ ରୋଗରେ ପୀଡିତ ବାପିନ ଜେନା । ଶାରିରୀକ ଅସୁସ୍ଥା ଯୋଗୁଁ ପାନ ଦୋକାନ ଖୋଲି ପାରୁନାହାନ୍ତି ବାପିନ । ଦୋକାନରେ ତାଲା ପଡିବା ସହ ରୋଜଗାର ଠପ୍ ହୋଇଯାଇଛି । ଫଳରେ ଅର୍ଥାଭାବ ଯୋଗୁଁ ହୋଇପାରୁନାହିଁ ଚିକିତ୍ସା । ସେପଟେ କିଡନୀ ଡାଏଲିସିସର ବ୍ୟବସ୍ଥା ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କରାଯିବା ସହିତ ରେଡକ୍ରସ ପାଣ୍ଠିରୁ ଅର୍ଥ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

ରୋଗ ଯେତେବେଳେ ଗୋଟିଏ ପରିବାରରେ ପଶେ, କେମିକି ହସଖୁସି ଛଡେଇ ନିଏ, ଏଇ ହେଉଛି ତାର ଚିତ୍ର । ପୁଅକୁ ରୋଗ ନହେବା ଯାଏଁ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ପୁଅ-ବୋହୂଙ୍କୁ ନେଇ ଘରେ ନୂଆ ଅତିଥିର ବାଟକୁ ଅନେଇ ରହିଥିଲେ ପୂରା ପରିବାର । ହେଲେ ଘରର ରୋଜଗାରିଆ ପୁଅ କିଡନୀ ରୋଗରେ ଆକ୍ରାନ୍ତ ହୋଇଗଲେ ଆଉ ସବୁକିଛି ଓଲଟ ପାଲଟ ହୋଇଗଲା ।

ଯାଜପୁର ବିଂଝାରପୁର ବ୍ଳକ କଲ୍ୟାଣପୁର ଅଂଚଳର ବାପିନ ଜେନ ୨ ବର୍ଷ ତଳେ ବିବାହ କରିଥିବା ବେଳେ ଏବେ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ବାପା ହେବାକୁ ଯାଉଛନ୍ତି ବାପିନ । ହେଲେ ତା’ପୂର୍ବରୁ ସେ କୀଡିନ ରୋଗରେ ପୀଡିତ । ଗୁରୁତର ଅସୁସ୍ଥ ହୋଇ ପଡିବାରୁ ରୋଜଗାରର ଏକମାତ୍ର ମାଧ୍ୟମ ପାନ ଦୋକାନ ଏବେ ବନ୍ଦ ହୋଇଯାଇଛି । ଟଙ୍କାଟିଏ ରୋଜଗାର ନାହିଁ, ଫଳରେ ବାପିନଙ୍କ ଚିକିତ୍ସା ପ୍ରଭାବିତ ହୋଇଛି । ଏବେ ଅଧାଗଢା ଘରେ ଅସୁସ୍ଥ ପୁଅକୁ ଦେଖି ମାଆ ଓ ସ୍ତ୍ରୀଙ୍କ ଆଖିରୁ ଅହରହ ଲୁହ ଝରୁଛି ।

ପୁଅର ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକ ଚିନ୍ତାରେ ଥିବା ବେଳେ ଯାଜପୁର ଜିଲାପାଳ କହିଛନ୍ତି, କିଡନୀ ଡାଏଲିସିସ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବସ୍ଥା କରାଯାଇଛି । ଏବଂ ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।