ଶାଶୁଘର ଆଗରେ ବୋହୂର ଧାରଣା । ସ୍ୱାମୀ ଓ ପରିବାର ସହ ଶାଶୁଘରେ ରହିବା ପାଇଁ ଦାବି କଲେ ବିଦୁସ୍ମିତା ।

ସ୍ତ୍ରୀ ବାପାଘରେ ଥିବା ବେଳେ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ପାଇଁ ଯୋଜନା ଚାଲିଥିବା ଅଭିଯୋଗ ।

279

କନକ ବ୍ୟୁରୋ: ହକ୍ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ । ଶଶୁର ଘରେ ରହିବା ପାଇଁ ନେହୁରା ହୋଇ କବାଟ ବାଡେଇଲେ ବୋହୂ କିନ୍ତୁ କଠୋର ହୃଦୟଧାରୀ ସ୍ୱାମୀକୁ ଶୁଭିଲାନି ନିଜ ସ୍ତ୍ରୀ କାନ୍ଦ କି ଛୁଆର ଡାକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବଡାମତଳିଆ ଗାଁରେ ।

ଦିନେ ପାଟ ଶାଢୀ ପିନ୍ଧି ଫୁଲସଜା ଗାଡିରେ ଶାଶୁଘରକୁ ଆସିଥିଲେ ବାଲେଶ୍ୱର ମାଣିଖମ୍ବ ଗାଁର ବିଜୟ ରଣାଙ୍କ ଝିଅ ବିଦୁସ୍ମିତା । କିନ୍ତୁ ଆଜି ସେହି ଶାଶୁଘରେ ରହିବା ପାଇଁ ଧାରଣା ଦେଇଛନ୍ତି ବିଦୁସ୍ମିତା । ହେଲେ ହୃଦୟହୀନ ସ୍ୱାମୀଙ୍କୁ ଦେଖାଯାଉନି ସ୍ତ୍ରୀର କାନ୍ଦ କି ଶୁଭୁନି ପୁଅର ଡାକ । ୨୦୧୪ ଫେବୃଆରୀ ୧୮ରେ ମୟୂରଭଂଜ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ବଡାମତଳିଆ ଗାଁର ସିଦ୍ଧାର୍ଥ ପରିଡାଙ୍କୁ ବିବାହ କରିଥିଲେ ବିଦୁସ୍ମିତା । ଖୁବ୍ ହସ ଖୁସିରେ ଆରମ୍ଭ ହୋଇଥିଲା ସେମାନଙ୍କ ସଂସାର । ବିବାହ କିଛି ମାସ ପରେ ବିଦୁସ୍ମିତା ଗର୍ଭବତୀ ହେବା ପରେ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା ।

ବିଦୁସ୍ମିତାଙ୍କ ଅଭିଯୋଗ, ଯୌତୁକ ଦାବି କରିବା ସହ ଭୃଣ ହତ୍ୟା ପାଇଁ ଚାପ ପକାଉଥିଲେ ସ୍ୱାମୀ ଓ ଶାଶୁଘର ଲୋକ । ସେମାନଙ୍କ ନିର୍ଯାତନା ସହି ନପାରି ବାପାଘରକୁ ଚାଲି ଯାଇଥିଲେ, ପିଲା ଜନ୍ମ ହେବା ପରେ ଶାଶୁଘରକୁ ଆସିଥିଲେ । ପରେ ନିର୍ଯାତନା ମାତ୍ରା ବଢିବାରୁ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବେ ବିଦୁସ୍ମିତା ବାପାଘରେ ରହୁଥିବା ବେଳେ ସ୍ୱାମୀ ସିଦ୍ଧାର୍ଥ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରୁଥିବା ଖବର ପାଇ ଶାଶୁଘରକୁ ଧାଇଁ ଆସିଥିଲେ । ହେଲେ ଶାଶୁଘର ଲୋକ ତାଙ୍କୁ ଗ୍ରହଣ ନକରିବାରୁ ସେ ଧାରଣା ଦେଇଥିଲେ । ତେବେ ଶାଶୁଘରେ ରହିବା ପାଇଁ ସ୍ୱାମୀ ସିଦ୍ଧାର୍ଥ ଅନୁମତି ନଦେବା ସହ ଦ୍ୱିତୀୟ ବିବାହ କରିବା ପାଇଁ ଯୋଜନା କରୁଥିବାରୁ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ବିଦୁସ୍ମିତା । ତେବେ ଗ୍ରାମାଂଚଳ ଥାନା ପୋଲିସର ବୁଝାସୁଝା କରି ବିଦୁସ୍ମିତା ଧାରଣାରୁ ଉଠିନେଇ ଘରେ ଛାଡି ଦେଇଛନ୍ତି ।