ସମିତି ସଭ୍ୟ ପଦ ପାଇଁ ସ୍ୱାମୀ – ସ୍ତ୍ରୀ ପ୍ରାର୍ଥୀ  । ଦୁହିଁଙ୍କ ଭିତରୁ ଯିଏ ଜିତିଲେ ବି ଲାଭ ହାରିଲେ ବି ଲାଭ ।

824

କନକ ବ୍ୟୁରୋ: ଗୋଟିଏ ପଦ ପାଇଁ ଆମନା ସାମନା ହେବେ ସ୍ୱାମୀ ସ୍ତ୍ରୀ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ମେହେନ୍ଦିନଗର ପଞ୍ଚାୟତରେ । ଏଠି ପଞ୍ଚାୟତ ସମିତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଉଭୟ ସ୍ୱାମୀ ରବୀନ୍ଦ୍ର ପଣ୍ଡା ଓ ତାଙ୍କ ସ୍ତ୍ରୀ ରେଣୁପ୍ରଭା ପଣ୍ଡା ।

ବାଜିଲାଣି ପଞ୍ଚାୟତ ନିର୍ବାଚନ ବିଗୁଲ । ଏଥିପାଇଁ  ଚାଲିଛି ଛକାପଞ୍ଝା । ଗୋଟିଏ ପଦ ପାଇଁ ଗୋଟିଏ ପରିବାରରୁ ଏକାଧିକ ସଦସ୍ୟ ଆଗେଇ ଆସୁଛନ୍ତି । ଏଇ ଯେମିତି ରବୀନ୍ଦ୍ର ପଣ୍ଡା ଓ ପତ୍ନୀ ରେଣୁପ୍ରଭା ପଣ୍ଡା । ଦୁହେଁ ମାର୍ଶାଘାଇ ବ୍ଲକ ମେହେନ୍ଦିନଗର ପଞ୍ଚାୟତରୁ ଦାଖଲ କରିଛନ୍ତି ପଞ୍ଚାୟତ ସମିତି ପଦ ପାଇଁ ନାମାଙ୍କନ ପତ୍ର । ହାର ହେଉ କି ଜିତ୍ ଲାଭ କିନ୍ତୁ ନିଶ୍ଚିତ । ସ୍ୱାମୀ -ସ୍ତ୍ରୀଙ୍କ ଭିତରୁ ଯିଏ ଜିତିଲେ ଲାଭ , ହାରିଲେ ବି ଲାଭ । କଥା ହେଉଛି ଯଦି ସ୍ୱାମୀ ରବୀନ୍ଦ୍ର ଜିତନ୍ତି ତେବେ ସମିତି ସଭ୍ୟ ହେବେ । ହେଲେ ଯଦି ସ୍ତ୍ରୀ ଜିତନ୍ତି ତେବେ ତେବେ ମାର୍ଶାଘାଇ ପଞ୍ଚାୟତ ସମିତିର ଚେୟାରମ୍ୟାନ ପଦ ପାଇଁ ବାଟ ଫିଟିବ । କାରଣ ଏହି ପଦ ମହିଳା ବର୍ଗ ପାଇଁ ସଂରକ୍ଷିତ ରହିଛି । ତେଣୁ ଯଦି ସ୍ୱାମୀ ହାରିଯାଇ ସ୍ତ୍ରୀ ଜିତିଯାନ୍ତି ତେଣୁ ତାଙ୍କୁ ବ୍ଲକ ଚେୟାରମ୍ୟାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ରବୀନ୍ଦ୍ର ପଣ୍ଡା ।

ସ୍ୱାମୀଙ୍କ ସହ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ପତ୍ନୀ ରେଣୁପ୍ରଭା । ଆବଶ୍ୟକ ପଡିଲେ ଦୁହିଁଙ୍କ ମଧ୍ୟରୁ କେହି ନାମାଙ୍କନ ପ୍ରତ୍ୟାହୃତ ବି କରିପାରନ୍ତି ।ଚଳିତ ପଞ୍ଚାୟତ ନିର୍ବାଚନରେ କେଉଁଠି ବାପ ପୁଅ ତ କେଉଁଠି ଭାଇ ଭାଇ ଭିତରେ ଲଢେଇ ହେଉଥିବାବେଳେ ଏଠି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ନିର୍ବାଚନ ଲଢେଇକୁ ନେଇ ସମସ୍ତଙ୍କ ଭିତରେ ଉତ୍ସାହ ।