ସ୍ୱାମୀ ଏଚଆଇଭି ପଜିଟିଭ୍ ବୋଲି ପର କରିଦେଲା ସ୍ତ୍ରୀ, ଆପଣାଇଛନ୍ତି ପଡୋଶୀ ଓ ଗ୍ରାମବାସୀ ।

249

କନକ ବ୍ୟୁରୋ: ସାକ୍ଷୀ ରହିଥିଲା ଅଗ୍ନି, ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଉଭୟେ ନେଇଥିଲେ ଶପଥ । ହେଲେ ଶଙ୍ଖା-ସିନ୍ଦୂର ସମ୍ପର୍କରେ ଲାଗିଲା ଏଚଆଇଭି ସନ୍ଦେହର ସଂକ୍ରମଣ । ସ୍ୱାମୀ ଏଚଆଇଭି ପଜିଟିଭ୍ ଜାଣିବା ପରେ ହାତଛାଡ଼ି ଘରୁ ପଳାଇଲା ସ୍ତ୍ରୀ । ଯିଏ ଜନ୍ମ ଜନ୍ମ ପାଇଁ ଜୀବନର ପ୍ରତ୍ୟେକ ଯନ୍ତ୍ରଣାକୁ ବାଣ୍ଟିବାଦେବ ବୋଲି କଥା ଦେଇଥିଲା ସିଏ ଏ ଜନ୍ମରେ ଆଖି ଆଡେଇ ଚାଲିଗଲା…

ବୈବାହିକ ଜୀବନରେ କେତେବେଳେ କେଉଁ ଝଡ଼ ଆସିବ ତାହା କହିବା ମୁସ୍କିଲ । କିନ୍ତୁ ଭଦ୍ରକ ବନ୍ତ ବ୍ଲକ ତୋଡ଼ଙ୍ଗା ଗାଁର ରାମକୃଷ୍ଣ ଜେନାଙ୍କ ଜୀବନରେ ଏଚଆଇଭି ନାମକ କାଳ ତାଙ୍କ ଆଖିରେ ଲୁହ ଆଣିଦେଇଛି । ୩ ବର୍ଷ ତଳେ ମାନସୀ ଜେନାଙ୍କ ହାତ ଧରିଥିବା ରାମକୃଷ୍ଣଙ୍କ ସଂସାର ହସ ଖୁସିରେ ଚାଲିଥିଲା । ଉଭୟଙ୍କର ଗୋଟେ କନ୍ୟା ସନ୍ତାନ ମଧ୍ୟ ଅଛି । ହେଲେ କିଛିଦିନ ପୂର୍ବରୁ ରକ୍ତଦାନ କରିବା ପରେ ରାମକୃଷ୍ଣ ଏଚଆଇଭି ପଜିଟିଭ୍ ଥିବା ଜାଣିବାକୁ ପାଇଲେ । ବାସ୍ ତା’ପରେ ତାଙ୍କ ସଂସାରରେ ଖେଳିଗଲା ଏଚଆଇଭି ସଂକ୍ରମଣ ସନ୍ଦେହର କଳାବାଦଲ । ସ୍ତ୍ରୀ ପର କରି ହାତଛାଡ଼ିଦେଲା, ଆଖି ଆଡେଇ ବାପ ଘରକୁ ପଳାଇଲା ।

ରାମକୃଷ୍ଣ ଏଚଆଇଭି ପଜିଟିଭ୍ ଜାଣିବା ପରେ ତାଙ୍କ ହାତ ଛାଡ଼ିବାକୁ ଅଡ଼ିବସିଲେ ସ୍ତ୍ରୀ ମାନସୀ । ଶାଶୁ-ଶ୍ୱଶୁର ଓ ସ୍ୱାମୀ ଯେତେ ବୁଝାଇଲେ ମଧ୍ୟ ମାନସୀ ବୁଝିବାକୁ ନାରାଜ । ଗୋଟିଏ ଜିଦ୍ ସ୍ୱାମୀଙ୍କ ନିକଟତର ହେବେ ନାହିଁ କିମ୍ବା ତାଙ୍କ ସହ ରହିପାରିବେ ନାହିଁ । ବାସ୍ ଏହାପରେ ଆଇନର ଆଶ୍ରୟ ନେଇ ଯାନି ଯୌତୁକ ସହ ପିଲାକୁ ଧରି ମାନସୀ ତାଙ୍କ ବାପ ଘରକୁ ପଳାଇଲେ ।
ଏପଟେ ଭାଙ୍ଗିପଡ଼ିଥିବା ରାମକୃଷ୍ଣଙ୍କୁ ଗାଁ ଲୋକେ କିନ୍ତୁ ଭଲ ବ୍ୟବହାର କରୁଛନ୍ତି । ଜଣେ ଏଚଆଇଭି ପଜିଟିଭଙ୍କୁ ପର ନକରି ପଡୋଶୀ ହେଉ କି ଗ୍ରାମବାସୀ, ସଭିଏଁ ତାଙ୍କୁ ଆପଣାଇ ତାଙ୍କ ମନୋବଳ ବଢ଼ାଉଛନ୍ତି । ସନ୍ଦେହର ସଂକ୍ରମଣ ମଣିଷର ସଂସାରକୁ ଭାଙ୍ଗିବାରେ ବେଶୀ ବିଳମ୍ବ କରେନି । ମାନସୀଙ୍କ ମନରେ ଥିବା ଡର ଭୟକୁ ଏତେ ସହଜରେ ଦୂରେଇ ହେବନି । ହଁ ଏହା ଯୁକ୍ତିଯୁକ୍ତ ଯେ, ମାନସୀ ନିଜ ଜୀବନ କେମିତି ଅତିବାହିତ କରିବେ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । କିନ୍ତୁ ଯଦି ପଡୋଶୀ ଆଉ ଗାଁ ଲୋକେ ତାଙ୍କ ସ୍ୱାମୀଙ୍କୁ ସନ୍ଦେହ ଆଖିରେ ନଦେଖି ପୂର୍ବ ଭଳି ବସାଉଠା କରୁଛନ୍ତି, ତାହେଲେ ସାତ ଜନ୍ମ ପାଇଁ କଥା ଦେଇଥିବା ମାନସୀ କାହିଁକି କରିପାରିବେନି? ଏ ରୋଗ ଭବିଷ୍ୟତରେ ବି ଭଲ ହୋଇଯିବ ହେଲେ ଭାଙ୍ଗିଯାଉଥିବା ଭରସାକୁ ଭଲ କରିବା ପାଇଁ କୌଣସି ଭ୍ୟାକ୍ସିନ୍ ନାହିଁ । ଖାଲି ଆଜିର ସମାଜକୁ କିଛିଟା ପ୍ରଶ୍ନ, ଜଣେ ଏଚଆଇଭି ପଜିଟିଭ କ’ଣ ମଣିଷ ନୁହନ୍ତି? ଆମ ଗହଣରେ ସେମାନଙ୍କୁ କ’ଣ ବଞ୍ଚିବାର ଅଧିକାର ନାହିଁ? ଜଣେ ଏଚଆଇଭି ସଂକ୍ରମିତକୁ ଅଛୁଆଁ କରିବା କେତେଦୂର ଠିକ୍?