କନ୍ଧମାଳ ମୁଖ୍ୟ  ଚିକିତ୍ସାଳୟର ଅଭାବନୀୟ ଦୃଶ୍ୟ ।ସ୍ତ୍ରୀର ଶବକୁ ଏକା ବୋହି ମହାପ୍ରୟାଣ ଗାଡି ଭିତରକୁ ନେବା ପାଇଁ ଅସହାୟ ସ୍ୱାମୀଙ୍କ ସଂଘର୍ଷ, ଲୋକେ ଭିଡ଼ିଓ କଲେ କିନ୍ତୁ ସହାୟତାର ହାତ ବଢାଇଲେନି ।

323

କନକ ବ୍ୟୁରୋ :  ଏକବିଂଶ ଶତାବ୍ଦୀରେ ଏପରି ଚିତ୍ର ଆପଣଙ୍କୁ ବିଚଳିତ କରିଦେବ । ନିଜ ସ୍ତ୍ରୀର ଶବକୁ ହସପିଟାଲରୁ ନେବା ପାଇଁ ସଂଘର୍ଷ କରୁଛନ୍ତି ସ୍ୱାମୀ । ପାଖରେ ଲୋକ ଅଛନ୍ତି, ହେଲେ ସହାୟତା କରିବା ପାଇଁ ଆଗକୁ ଆସୁନାହାନ୍ତି । ସ୍ତ୍ରୀର ଶବ, ପାଖରେ ପଡ଼ିଥିବା କଅଁଳା ପିଲା ଏବଂ ଜଣେ ଅସହାୟ ସ୍ୱାମୀର ଏହି କାହାଣୀ ଆପଣଙ୍କୁ ଦାନ ମାଝିର କରୁଣ କାହାଣୀ ମନେ ପକାଇଦେବ ।

କନ୍ଧମାଳ ଜିଲ୍ଲାର ମୁଖ୍ୟ ହସ୍ପିଟାଲରେ ଘଟିଛି ଏହି ଅଭାବନୀୟ ଘଟଣା । ହସ୍ପିଟାଲରେ ସ୍ତ୍ରୀର ଶବକୁ ଏକା ଏକା ଉଠାଇ ଗାଡ଼ି ପାଖକୁ ନେଉଛନ୍ତି ସ୍ୱାମୀ । ନା ଡାକ୍ତରଖାନା ପକ୍ଷରୁ କେହି ସହାୟତା କରୁଛନ୍ତି, ନା ଅନ୍ୟ କେହି ଅସହାୟ ସ୍ୱାମୀକୁ ସାହାଯ୍ୟ କରୁଛନ୍ତି । ଏକା ଶବକୁ ବୋହି ପାହଚ ପରେ ପାହାଚ ଓହ୍ଲାଇ ତଳକୁ ଆସିବା ପରେ ତଳ ଫ୍ଲୋରରେ ଥିବା ଷ୍ଟ୍ରେଚରରେ ପକାଇ ଠେଲି ଠେଲି ମହାପ୍ରୟାଣ ଗାଡ଼ି ଭିତରକୁ ନେଉଛନ୍ତି ସ୍ୱାମୀ । ଗାଡ଼ି ଭିତରକୁ ନେବା ବେଳେ ତାଙ୍କୁ ସହାୟତା କରିଛନ୍ତି ତାଙ୍କର ବୟସ୍କ ଶ୍ୱଶୁର । ଯିଏ ଦୁଇ ମାସର ଶିଶୁକୁ ତଳେ ଶୁଆଇ ନିଜ ଝିଅର ଶବକୁ ଗାଡ଼ି ଭିତରକୁ ନେବାରେ ସାହାଯ୍ୟ କରିଛନ୍ତି । ଏତେ ବଡ଼ ହସପିଟାଲରେ ଶବକୁ ଉଠାଇବା ପାଇଁ କେହି ଜଣେ ଆଗକୁ ଆସିନାହାନ୍ତି । ଏପରକି ଏହି ଅଭାବନୀୟ ଦୃଶ୍ୟର ଭିଡଓ କରୁଥିବା ଲୋକ ମଧ୍ୟ ସହାୟତାର ହାତ ବଢ଼ାଇନାହାନ୍ତି ।

କନ୍ଧମାଳ ଫିରିଙ୍ଗିଆ ବ୍ଳକ୍ ମତିଙ୍ଗିଆ ଗାଁର ଋତୁମତି କଅଁର ଏବଂ  ତାଙ୍କ ସ୍ୱାମୀ ବାଳକୃଷ୍ଣ କଅଁରଙ୍କ ଏହି କାହାଣୀ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ସ୍ତ୍ରୀ ରକ୍ତହୀନତା ରୋଗୀ ଥିଲେ, କିଡନୀ ରୋଗ ବି ଥିଲା । ଚିକିତ୍ସା ପାଇଁ ତାଙ୍କୁ ଗତ ୨୯ ତାରିଖରେ ହସ୍ପିଟାଲରେ ଭର୍ତି କରାଯାଇଥିଲା ।  ଆଉ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଡ଼ମ୍ବନାର କଥା ହେଉଛି ହସ୍ପିିଟାଲରୁ ଶବକୁ ଗାଡ଼ି ପର୍ଯ୍ୟନ୍ତ ନେବା ପାଇଁ ସ୍ୱାମୀ  ବାଳକୃଷ୍ଣ କଅଁରଙ୍କୁ କେହି ସହଯୋଗ କରିନଥିଲେ । ଏହି ଦୃଶ୍ୟ ଦେଖିଲେ, ସ୍ତ୍ରୀକୁ କାନ୍ଧରେ ୧୦ କିଲୋମିଟର ବାଟ ବୋହି ଥିବା ଦାନ ମାଝୀର କାହାଣୀ ପୁଣି ଥରେ ମନେ ପଡିଯାଇଛି ।