ଶାଶୁଘରେ ଆତ୍ମହତ୍ୟା କଲେ ସ୍ତ୍ରୀ, ଖବର ଶୁଣିବା ପରେ ଜର୍ମାନୀରୁ ଆସିଲା ସ୍ୱାମୀଙ୍କ ମୃତ୍ୟୁ ଖବର ।

646

କନକ ବ୍ୟୁରୋ : କରୋନା ଯୁଗରେ ଲୋକମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗୋରଖପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ରାମପୁର ଅଞ୍ଚଳରେ କିଛି ଏଭଳି ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଦୁଇ ଦିନ ତଳେ ୨୮ ବର୍ଷୀୟ ନବଜ୍ୟୋତି ମକ୍କାଡ଼ ନିଜ ଶାଶୁଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଆଉ ଯେତେବେଳେ ତାଙ୍କର ଆତ୍ମହତ୍ୟା ଘଟଣା ଜର୍ମାନୀରେ ଇଂଜିନିୟର ଭାବେ କାମ କରୁଥିବା ତାଙ୍କ ସ୍ୱାମୀ ସୀମରନଙ୍କୁ ଜଣାଯାଇଥିଲା, ସେଠାରେ ସେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ । ଜର୍ମାନୀ ପୁଲିସ ପକ୍ଷରୁ ମୃତଦେହ ଜବତ କରାଯାଇ ଗୋରଖପୁର ପୁଲିସ ଷ୍ଟେସନକୁ ଏହା ଜଣାଇ ଦିଆଯାଇଛି ।

ସେଠାରେ ସୀମରନଙ୍କ କୋଠରୀ, ଜିନିଷପତ୍ର ଜର୍ମାନୀ ପୁଲିସ ସିଲ୍ କରିଛି। ସୂଚନାନୁସାରେ, ନବଜ୍ୟୋତି ଏବଂ ସୀମରନ ୪ ମାସ ପୂର୍ବରୁ ବିବାହ କରିଥିଲେ। ନବଜ୍ୟୋତି ପଞ୍ଜାବର ହୋଶିଆରପୁରର ବାସିନ୍ଦା ଥିଲେ। ତାଙ୍କ ପିତା ଏବଂ ଭାଇ ଉଭୟ ସେନାରେ ଅଛନ୍ତି ଏବଂ ଇନ୍ଦୋର ନିକଟସ୍ଥ ମୋହୋଠାରେ ରୁହନ୍ତି । ସେ ନିଜ ମାଙ୍କ ଘରୁ ୧୦ ଦିନ ପୂର୍ବରୁ ରାମପୁରକୁ ଫେରିଥିଲେ। ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଣାପଡିଥିଲା ଯେ ଗୁରୁବାର ରାତିରେ ନବଜ୍ୟୋତି ତାଙ୍କ ମାଆଙ୍କ ସହ ଫୋନରେ କଥା ହୋଇଥିଲେ।

ମା ଝିଅକୁ ବହୁତ ବୁଝାଇଥିଲେ ଏବଂ ସୀମରନଙ୍କୁ ଝିଅର ହତାଶା ବାବଦରେ କହିଥିଲେ । ସୀମରନ ନିଜ ପରିବାର ଲୋକଙ୍କୁ ଫୋନ କରି ନବଜ୍ୟୋତିଙ୍କୁ ବୁଝାଇବାକୁ କହିଥିଲେ । ତେବେ ସୀମରନଙ୍କ ପରିବାର ଲୋକ ଯେତେବେଳେ କୋଠରୀରେ ପହଞ୍ଚିଥିଲେ ବୋହୂର ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏହା ପରେ ଯେତେବେଳେ ସୀମରନ ଏବାବଦରେ ଜାଣିଥିଲେ ସେ ଜର୍ମାନୀରେ ଆତ୍ମହତ୍ୟା କରିଦେଇଛନ୍ତି ଜ୍ଝ ବର୍ତ୍ତମାନ ପୁଲିସ ଏହି ମାମଲାର ତଦନ୍ତ କରୁଛି।