କନକ ବ୍ୟୁରୋ : ନିଜ ପତ୍ନୀକୁ ବଳାତ୍କାର କରିବା ପରେ ଜୀବନରୁ ମାରିଦେବାକୁ ସାଙ୍ଗ ହାତରେ ଟେକି ଦେଇଥିଲା ସ୍ୱାମୀ । ଏକ ନିଛାଟିଆ ଜଙ୍ଗଲରେ ପତ୍ନୀକୁ ସାଙ୍ଗ ସହ ଛାଡି ଦେଇଥିଲା । ବଳାତ୍କାରର ଶିକାର ହେବା ପରେ କୌଣସି ମତେ ପତ୍ନୀ ଜୀବନ ବଞ୍ଚାଇ ଘରକୁ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କର ଜଣେ ସାଙ୍ଗକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହ  ।

Advertisment

ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ତିନି ବର୍ଷ ପୂର୍ବେ ରାଇଘର ଥାନା ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ  । ବିବାହର ୩ ମାସ ମଧ୍ୟରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖା ଦେବା ପରେ ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ  । ଅଢେଇ ବର୍ଷ ଧରି ଅଲଗା ହେବା ପରେ ପିଚାଶ ସ୍ୱାମୀର ମନରେ ସୈତାନ ବୁଦ୍ଧି ଜୁଟିଥିଲା ।  ଫୋନ୍ ମାଧ୍ୟମରେ କିଛିଦିନ ପତ୍ନୀଙ୍କ ସହିତ କଥାବାର୍ତ୍ତା କରି ସଲାସୁତରା କରିବା ପରେ ହାଇଦ୍ରାବାଦ ଯିବା ଓ ସେଠାରେ କାମ କରି ନୂଆ ଜୀବନ ଆରମ୍ଭ କରିବାକୁ କହିଥିଲା ।

 ଗତ ଡିସେମ୍ବର ୨୦ ତାରିଖ ସନ୍ଧ୍ୟାରେ  ପତ୍ନୀଙ୍କୁ ନିଜ ବାଇକରେ ବସାଇ ଆଣିବା ସହିତ ସାଙ୍ଗରେ ଦୁଇଜଣ ସାଙ୍ଗକୁ ମଧ୍ୟ ଡାକିଥିଲା ।  ଅନ୍ୟ ଏକ ବାଇକରେ ଦୁଇ ସାଙ୍ଗ ବାହାରି ଥିଲେ । ଅନ୍ଧାର ରାତିରେ ସ୍ଥାନୀୟ ହଳଦୀ ଘାଟି ନିକଟକୁ ଯାଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ତା ସାଙ୍ଗ ଇଶ୍ୱର ଗଣ୍ଡ ହାତରେ ଟେକି ଦେଇ ତା ସହିତ ଦୁଷ୍କର୍ମ କରିବା ପରେ  ମାରିଦେବାକୁ କହିଥିଲା  । ପତ୍ନୀ ବହୁ ବାରଣ କରିବା ସତ୍ତେ୍ୱ ଜଙ୍ଗଲରେ ପ୍ରତିବାଦ କରି ପାରିଲେ ନାହିଁ  । ଶେଷରେ ଦୁଷ୍କର୍ମର ଶିକାର ହୋଇଥିଲେ । କୌଶଳ କ୍ରମେ ରାତି ସାରା ଜଙ୍ଗଲ ମଧ୍ୟରେ ଲୁଚି ଛପି ସକାଳୁ ନିକଟସ୍ଥ ଗାନ୍ଧିନଗର ଗ୍ରାମରେ ପହଂଚି ପରିବାର ଲୋକଙ୍କୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ  ।