ସବୁ ସାରିଦେଲା ସେୟାର ମାର୍କେଟ: କ୍ଷତି ସହିବା ପରେ ଓଢଣୀରେ ତଣ୍ଟି ଚିପି କଲେ ସ୍ତ୍ରୀ-ପୁଅର ହତ୍ୟା

405

କନକ ବ୍ୟୁରୋ: ଟ୍ରେଡିଂ କେତେବେଳେ କାହାକୁ ମାଲାମାଲ କରିଦିଏ ତ କେତେବେଳେ ତଳିତଳାନ୍ତ । ଦିପାବଳି ସମୟ ସେୟାର ମାର୍କେଟର ନୂଆ ବର୍ଷ । ଏହି ସମୟରେ ଅନେକ ଲୋକ ନୂଆ କରି ସେୟାର ମାର୍କେଟରେ ନିବେଶ ପାଇଁ ଚିନ୍ତା କରୁଥିବା ବେଳେ ଭବନେଶ୍ୱରର ଏହା ଗୋଟିଏ ପରିବାରକୁ ଛାରଖାର କରିଦେଇଛି । ସେୟାର ମାର୍କେଟରେ ଟଙ୍କା ଲଗାଇ ଦେବାଳିଆ ହେବା ପରେ ସ୍ତ୍ରୀ ଓ ପୁଅକୁ ମାରିଦେଲେ ଜଣେ ବ୍ୟକ୍ତି ।

ଅବନି ମଂଗରାଜ ନାମକ ଜଣେ ବ୍ୟକ୍ତି ଟ୍ରେଡିଂରେ ଅନେକ ଦିନ ଧରି ଟଙ୍କା ଲଗାଇଆସୁଥିଲେ । କିନ୍ତୁ ଟ୍ରେଡିଂ କେତେବେଳେ କାହାର ଭାଗ୍ୟ ବଦଳାଇଦେବ ତାହା କାହାକୁ ଜଣା ନଥାଏ । କିନ୍ତୁ ଭାଗ୍ୟ ଯଦି ସାଥ ନଦିଏ ତେବେ ତଳିତଳାନ୍ତ କରିଦିଏ ଟ୍ରେଡିଂ । ଅବନି ନିଜର ସବୁଟଙ୍କା ଲଗାଇବା ପରେ ଦେବାଳିଆ ହୋଇଗଲେ । ଆର୍ଥିକ ସମସ୍ୟା ଯୋଗୁଁ ଚାପରେ ଥିଲେ ଅବନି । ଅଧିକ ଚାପଗ୍ରସ୍ତ ହୋଇ ନିଜ ପରିବାରକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଶେଷ ଉପାୟ ମଣିନେଲେ ଅବନି ।

ରାତିରେ ଖାଇବାରେ ନିଦ ଔଷଧ ମିଶାଇ ନିଜ ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ଦେଇଥିଲେ । ରାତି ୩ଟା ବେଳେ ଶୋଇଥିବା ଅବସରରେ ନିଜ ପୁଅ ଓ ସ୍ତ୍ରୀକୁ ଓଢଣୀ ସାହାଯ୍ୟରେ ତଂଟି ଚିପି ହତ୍ୟା କରିଥିଲେ ଅବନି । ହତ୍ୟା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଛୁରି ସାହାଯ୍ୟରେ ହାତ କାଟିଥିଲେ ବି, ଆତ୍ମହତ୍ୟା କରିବାକୁ ବିଫଳ ହୋଇଥିଲେ ସେ । କିଛି ଉପାୟ ନ ପାଇ ପରେ ସେ ଘର ପାଖରେ ବୁଲୁଥିବା ସମୟରେ ଆଜି ସନ୍ଧ୍ୟା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ଓ ସାଇଂଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।