ଭୁବନେଶ୍ୱର କାର୍ଗିଲ ବସ୍ତିରେ ଲୋମଟାଙ୍କୁରା ହତ୍ୟାକାଣ୍ଡ: ୩ ମାସର ଗର୍ଭବତୀ ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ୱାମୀ; ହତ୍ୟାକାରୀ ମୁରଲୀଧରକୁ ଗିରଫ

କମିଶନରେଟ୍ ପୋଲିସର ତଦନ୍ତ ଜାରି

941

କନକ ବ୍ୟୁରୋ: ଗର୍ଭବତୀ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା । ଏଭଳି ଜଘନ୍ୟ କାଣ୍ଡ ଘଟିଛି ଭୁବନେଶ୍ୱର ଏୟାରଫିଳ୍ଡ ଥାନା ଅନ୍ତର୍ଗତ କାର୍ଗିଲ ବସ୍ତିରେ । ୭ ମାସ ତଳେ ଶକୁନ୍ତଳା ଓ ମୁରଲୀଧର ବେହେରାଙ୍କ ବିବାହ ହୋଇଥିଲା । ଆରମ୍ଭ ଦିନରୁ ଯୌତୁକ ବାବଦକୁ ଦେଢ ଲକ୍ଷ ଟଙ୍କା ମୁରଲୀ ମାଗି ଆସୁଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହେଉଥିବା ନେଇ ସୂଚନା ମିଳିଛି ।

ତେବେ ଗତକାଲି ସଂଧ୍ୟାରେ ଦୁହିଁଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ୟକ୍ତ ହୋଇ ମୁରଲୀଧର ଏକ ହାତୁଡିରେ ପିଟି ପିଟି ଶକୁନ୍ତଳାକୁ ମାରି ଦେଇଥିଲା । ପୋଲିସ ଖବର ପାଇ ମୁରଲୀଧରକୁ ଗିରଫ କରିବା ସହ ଶବ ଉଦ୍ଧାର କରିଛି । ଘଟଣାର ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ତେବେ ସ୍ଥାନୀୟ ଲୋକଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ହେଲା ମୁରଲୀର ମାନସିକ ଅବସ୍ଥା ଭଲ ନଥିଲା। କାମଧନ୍ଦା ନଥିବାରୁ ସେ ସବୁବେଳେ ଅଶାନ୍ତିରେ ରହୁଥିଲା। ପୂର୍ବରୁ ସୁରକ୍ଷାକର୍ମୀ ଭାବେ କାମ କରୁଥିବା ମୁରଲୀ କିଛି ଦିନ ହେଲା ମୂଲପାତି ଲାଗୁଥିଲା। ତେଣୁ ଶ୍ବଶୁର ଘରୁ ଯୌତୁକ ଟଙ୍କା ପାଇବା ପାଇଁ ସେ ବ୍ୟାକୁଳ ଥିଲା। ହୁଏତ ଏହି କାରଣରୁ ରାଗରେ ସେ ଶକୁନ୍ତଳାକୁ ହତ୍ୟା କରିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଥିବା କହିଛନ୍ତି।