ମୋ କିଡନୀ ନେଇ ବଞ୍ଚିବୁ ତୁ… ଭାଲେଣ୍ଟାଇନ ଡେ’ରେ ସ୍ୱାମୀ ଦେଲା ସ୍ତ୍ରୀକୁ ଅମୂଲ୍ୟ ଉପହାର । କିଡନୀ ଦାନ କରି ଜୀବନସାଥୀକୁ ନୂଆ ଜୀବନ ଦେଲେ ସ୍ୱାମୀ ।

337

କନକ ବ୍ୟୁରୋ : ପ୍ରେମଦିବସକୁ ପ୍ରୀତିଭରା କରିବାକୁ, ଭାଲେଣ୍ଟାଇନ ଡେକୁ ମନେରଖିବାକୁ କିଏ କେତେ କଣ କରୁଛି । କିଏ ନିଜ ଜୀବନ ସାଥୀକୁ ଦାମୀ ଉପହାର ଦେଉଛି ତ ଆଉ କିଏ ଅଜଣା ରାଇଜକୁ ବୁଲେଇ ନେଉଛି । ସବୁ ମୁହୂର୍ତ୍ତ, ପ୍ରତି ପଲକରେ କେମିତି ରୋମାଣ୍ଟିକପଣ ଭରି ଦେଇହେବ ସେଥିପାଇଁ ଭିନ୍ନଭିନ୍ନ ପ୍ଲାନ କରିଥାନ୍ତି ପ୍ରେମିକମାନେ । ହେଲେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଏହି ଦିନ ଏଭଳି ଏକ ଗିଫ୍ଟ ଦେଇଛନ୍ତି ଯାହା ଆପଣ ଶୁଣିଲେ ବିଶ୍ୱାସ କରିବେନି । ଗୁଜୁରାଟର ବିନୋଦ ପଟେଲ ନାମକ ଜଣେ ବ୍ୟକ୍ତି ପ୍ରେମ ଦିବସରେ ଏଭଳି କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବ୍ୟକ୍ତି ଜଣକ ଫେବୃଆରୀ ୧୪ ଅର୍ଥାତ ଭାଲେଣ୍ଟାଇନ ଡେରେ ନିଜର ୨୩ ତମ ବିବାହ ବାର୍ଷିକି ପାଳନ କରିଥିଲେ । ଏହି ଅବସରରେ ନିଜ ପତ୍ନୀଙ୍କୁ ସେ କିଡନୀ ଦାନ କରିଥିଲେ ।

କିଡନୀ ଯନ୍ତ୍ରଣା ଯୋଗୁଁ ବିନୋଦଙ୍କ ପତ୍ନୀ ରିତା ପଟେଲ ଅନେକ ସମୟରେ ଛଟପଟ ହେଉଥିଲେ । ୨୦୧୭ରେ ବିନୋଦ ରିତାଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ଚେକଅପରେ ଜାଣିବାକୁ ପାଇଥିଲେ ତାଙ୍କ ପତ୍ନୀ ରିତା ପଟେଲଙ୍କ ଦୁଇଟି ଯାକ କିଡନୀ ଫେଲ ହୋଇଯାଇଛି । ଏହାପରେ ଡାକ୍ତର ରିତାଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପରାମର୍ଶ ଦେଇଥିଲେ । କିଡନୀ ଡୋନରଙ୍କ ଅପେକ୍ଷା କରି ବର୍ଷ ପରେ ବର୍ଷ ବିତି ଚାଲିଥିଲା । ହେଲେ ରିତାଙ୍କୁ କିଡନୀ ଦେବା ପାଇଁ କୌଣସି ଡୋନର ମିଳିନଥିଲେ । ପତ୍ନୀଙ୍କ ଦୁଃଖ ଦେଖି ବିନୋଦ ମଧ୍ୟ ଭାଙ୍ଗି ପଡିଥିଲେ । କିଡନୀ ଡୋନର ମିଳିବା କାଳେ ଡେରି ହୋଇଯିବ ସେଥିପାଇଁ ନିଜ କିଡନୀ ଦେଇ ଜୀବନ ସାଥୀଙ୍କ ଜୀବନ ବଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ ବିନୋଦ ।

ଏନେଇ ବିନୋଦ କହିଛନ୍ତି, ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ମୋ ପତ୍ନୀ ମୋ ସହ ଛିଡା ହୋଇଛନ୍ତି । ସେ କଷ୍ଟରେ ଜୀବନ ବିତାଉ ମୁଁ କେବେ ଦେଖିପାରିବିନି । ସେଥିପାଇଁ ମୁଁ ତାଙ୍କୁ କିଡନୀ ଦେବାକୁ ନିଷ୍ପତ୍ତି ନେଲି । ସେ ପ୍ରଥମେ ରାଜି ହେଉନଥିଲା ହେଲେ ମୁଁ ଏବେ ତାଙ୍କୁ ବୁଝାଇ ସାରିଛି ।

୧୯୯୮ ମସିହା ଫେବୃଆରୀ ୧୩ ତାରିଖରେ ରିତା ପଟେଲଙ୍କୁ ବିବାହ କରିଥିଲେ ବିନୋଦ । ବିବାହର ଅନେକ ବର୍ଷ ପରେ ସେମାନଙ୍କ ଜୀବନକୁ ମାଡି ଆସିଥିଲା ଏହି ବିପଦ । ରିତାଙ୍କ କିଡୀନ ଫେଲ ହେବା ପରେ ତାଙ୍କ ସୁଖର ସଂସାର ଉପରେ ଘୋଡେଇ ହୋଇଯାଇଥିଲା କଳା ବାଦଲ । ହେଲେ ନିଜ ୨୩ ତମ ବିବାହ ବାର୍ଷିକୀରେ ବିନୋଦ ନିଜ କିଡନୀ ଦାନ କରି ପତ୍ନୀଙ୍କୁ ଦେଇଥିଲେ ଏହି ଅମୂଲ୍ୟ ଉପହାର । ଯେଉଁ ଉପହାର ବଦଳରେ ସେ ପାଇଛନ୍ତି ନିଜ ଜୀବନ ସାଥୀଙ୍କ ଜୀବନ ।