ଅକାଳରେ ଚାଲିଗଲେ ସ୍ତ୍ରୀ । ସ୍ତ୍ରୀଙ୍କୁ ଶେଷ ଥର ଟିକିଏ ଦେଖିବା ପାଇଁ ୧୩୦ କିଲୋମିଟର ଦୂରରୁ ସାଇକେଲ ଧରି ଧାଇଁଆସିଲେ ସ୍ୱାମୀ ।

560

କନକ ବ୍ୟୁରୋ : ଅଗ୍ନିକୁ ସାକ୍ଷୀ ରଖି ଯାହାକୁ ସାତ ଜନମର ସାଥୀ କରିବେ ବୋଲି କଥା ଦେଇଥିଲେ, ଯେତେବେଳେ, ସେହି ପ୍ରାଣପ୍ରିୟା ପତ୍ନୀଙ୍କର ମୃତ୍ୟୁର ଖବର ଆସିଲା, ସେତେବେଳେ କେମିତି ବା ଧୈର୍ଯ୍ୟ ଧରି ରହିପାରିଥାନ୍ତେ ସ୍ୱାମୀ । ଆଉ ସେଇଥିପାଇଁ ରାତିର ଘନଅନ୍ଧାରରେ ଆଖିର ଲୁହକୁ ଓଠରେ ପିଇ, ଆଉ ଛାତିର କୋହକୁ ମନରେ ଚାପି ରଖି, ଦୀର୍ଘ ୧୩୦ କିଲୋମିଟର ଦୂରରୁ ଧାଇଁଆସିଲେ । ଲକଡାଉନ୍ ପାଇଁ ନା ଟ୍ରେନ୍ ଚାଲୁଛି ନା କୌଣସି ଗାଡି ଗଡୁଛି । କେମିତି ନିଜର ପ୍ରିୟତମାଙ୍କୁ ଟିକେ ଶେଷ ଥର ପାଇଁ ଦେଖିବେ, କିଛି ଉପାୟ ନପାଇ ଶେଷରେ ସାଇକେଲ୍ ଧରି ବାହାରିଥିଲେ । ଆଉ ୧୩ ଘଂଟାର ଦୁଃଖ ସଂଘର୍ଷର ଯାତ୍ରା ପରେ ୧୩୦ କିଲୋମିଟର ଅତିକ୍ରମ କରି ସ୍ତ୍ରୀଙ୍କ ପାଖରେ ପହଂଚିଥିଲେ ସ୍ୱାମୀ ।

ଏଭଳି ଏକ ହୃଦୟ ବିଦାରକ ଆଉ ଦୁଃଖଭରା ଖବର ଆସିଛି ମଧ୍ୟପ୍ରଦେଶର ଆଗର ମାଲବାରୁ । ୧୯୮୬ ମସିହାରେ ରବିଶଙ୍କରଙ୍କର ବିବାହ ହୋଇଥିଲା । ତେବେ ତାଙ୍କ ପତ୍ନୀ ମାନସିକ ରୋଗରେ ଆକ୍ରାନ୍ତ ଥିବାରୁ, ସେ ତାଙ୍କ ବାପ ଘରେ ରହୁଥିଲେ । ଗତ କିଛିଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଏବଂ ମେ ୮ ତାରିଖରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ସମ୍ପର୍କୀୟମାନେ ଏବାବଦରେ ରବିଶଙ୍କରଙ୍କ ପାଖକୁ ଖବର ପଠାଇଥିଲେ ଯେ, ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଛି, ସେ ଜଲଦି ଘରକୁ ଆସନ୍ତୁ ।

ବାସ, ଏତିକି ଶୁଣିବା ପରେ, ରବିଶଙ୍କରଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଆଉ ସଙ୍ଗେ ସଙ୍ଗେ ସାଇକେଲ୍ ଧରି ୧୩୦ କିଲୋମିଟରରୁ ସେ ଧାଇଁ ଆସିଥିଲେ । ତେବେ ଦୁଃଖଭରା ଏହି ଯାତ୍ରା ସମୟରେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଭୋକଶୋଷରେ ଯାତ୍ରା କରୁଥିବା ବେଳେ, ରାସ୍ତାରେ ତାଙ୍କୁ ପାଣି ମୁନ୍ଦାଏ ବି ମିଳିନଥିଲା । ଘରୁ ଯେତିକି ପାଣି ଆଉ କିଛି ଖାଇବା ଆଣିଥିଲେ, ବାସ୍ ସେତିକିରେ ସେ ୧୩୦ କିଲୋମିଟର ରାସ୍ତାକୁ ୧୩ ଘଣ୍ଟାରେ ଅତିକ୍ରମ କରି ଶେଷରେ ସ୍ତ୍ରୀଙ୍କ ପାଖରେ ପହଂଚିଥିଲେ ।

ପରିବାର ଏବଂ ସମ୍ପର୍କୀୟଙ୍କୁ ଯେତେବେଳେ, ଏହା ଜଣାପଡିଥିଲା ଯେ, ରବିଶଙ୍କର ସାଇକେଲରେ ଏତେ ଦୂରରୁ ଧାଇଁ ଆସିଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେହି ବି ଭାବିନଥିଲେ, ସେ ସାଇକେଲରେ ଏତେ ବାଟ ଚାଲିଆସିବେ । ତେବେ ରବିଶଙ୍କର କହିଛନ୍ତି, ଯଦି ରାତି ହୋଇନଥାନ୍ତି, ତେବେ ସେ ୭ ଘଂଟାରେ ଚାଲିଆସିଥାନ୍ତେ ।

ତେବେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସରକାର ଲକଡାଉନ୍, ସଟଡାଉନ୍ ଭଳି କଟକଣା ଜାରି କରୁଛନ୍ତି । ଲୋକମାନଙ୍କର ସୁରକ୍ଷା ପାଇଁ ଏହାର ଆବଶ୍ୟକତା ବି ରହିଛି । କିନ୍ତୁ ଏହି କଟକଣା କେତେ ଲୋକଙ୍କ ପାଇଁ କଷ୍ଟର କାରଣ ବି ସାଜିଛି । ତେବେ ଆମେ ଅଧିକ ସତର୍କ ହେଲେ, ଆଉ କୋଭିଡ୍ ନିୟମକୁ ପାଳନ କଲେ ଲକଡାଉନ୍ କଟକଣାକୁ ଏଙ୍ଗାଇ ଦେଇପାରିବା ।