ଜଗତସିଂହପୁରରେ ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀର ଆତ୍ମହତ୍ୟା । ହସ୍ପିଟାଲରେ ଆଖି ବୁଜିଲା ଝିଅ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଚିକିତ୍ସିତ ।

2,994

କନକ ବ୍ୟୁରୋ : ଏମିତି କଣ ହେଲା ଯେ, ଝିଅ ଓ ସ୍ତ୍ରୀକୁ ହତ୍ୟା ପାଇଁ ଉଦ୍ୟମ କରି ନିଜେ ଆତ୍ମହତ୍ୟା କରିଦେଲା ସ୍ୱାମୀ । ଏଭଳି ହୃଦୟବିଦାରକ ଖବର ଜଗତସିଂହପୁର ଜିଲ୍ଲା ଯୋଜ ଚାନ୍ଦପାଟଣା ଗାଁରୁ ଆସିଛି । ଲୋକନାଥ ପାଲ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ହାଣିଦେବା ପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ସ୍ତ୍ରୀ କଳ୍ପନା ଓ ଝିଅ ମଧୁସ୍ମିତାଙ୍କୁ ଗୁରିତର ଅବସ୍ଥାରେ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଝିଅକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସ୍ତ୍ରୀ କଳ୍ପନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭାବ ଅନଟନ ପାଇଁ ଲୋକନାଥ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା ପ୍ରାଥମିକ ଭାବେ ଜଣାପଡିଛି ।

କୁହାଯାଉଛି ଲୋକନାଥଙ୍କ ଗୋଟିଏ ବୋଲି ପୁଅ ପଙ୍କଜ ପାଲ ଅନ୍ୟ ଜାତିରେ ବାହା ହୋଇ ଭୁବନେଶ୍ୱରରେ ଆସି ରହୁଛନ୍ତି । ପୁଅ ଅନ୍ୟତ୍ର ବିବାହ କରି ରହିବା ପରେ ଆଉ ଘର ଲୋକଙ୍କୁ ଟଙ୍କା ପଇସା ଦେଉନାହାନ୍ତି । ମିସ୍ତ୍ରି କାମ କରି ପରିବାର ପୋଶୁଥିବା ଲୋକନାଥ କରୋନା କାଳରେ ଜୀବିକା ହରାଇ ଅତ୍ୟଧିକ ମାନସିକ ଚାପରେ ଥିଲେ । ଏପିରିକି କିଛିଦିନ ହେଲା ଅସ୍ୱାଭାବିକ ବ୍ୟବହାର କରୁଥିଲେ । ଝିଅ ବାହାଘର କେମିତି କରିବେ, କେମିତି ପରିବାର ଚଳାଇବେ ବୋଲି ଗାଁଁରେ କହି ବୁଲୁଥିଲେ । ଆଉ ଶେଷରେ ଏଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ଗାଁ ଲୋକେ କହିଛନ୍ତି ।