କନକ ବ୍ୟୁରୋ: ବୟସର ଅପରାହ୍ନରେ ଜୀବନ ପାଲଟିଛି ଯନ୍ତ୍ରଣା । ପ୍ରତି ମୂହୁର୍ତ୍ତରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କାଶୀଝରଣ ଗାଁର ବୃଦ୍ଧ ଦମ୍ପତି । ୪ ବର୍ଷ ପୂର୍ବେ ଗଛରୁ ପଡି ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ସ୍ୱାମୀ ରାମ ବିନ୍ଧାଣୀ । ଚାଲିବାକୁ ଶକ୍ତି ନାହିଁ, କାନକୁ ବି ଭଲ ଶୁଭୁନି । ତଥାପି ଦୁହେଁ ଦୁହିଁଙ୍କର ସାହାରା ପାଲଟିଛନ୍ତି । ବୃଦ୍ଧ-ଦମ୍ପତିଙ୍କର ପୁଅ-ଝିଅ ମିଶି ୮ଜଣ । ପୁଅ-ଝିଅଙ୍କୁ ବାହାଦେବା ପରେ ଜୀବନର ଶେଷ ପାହାଚରେ ଏମାନଙ୍କ ପାଖରେ ସାହାରା ବୋଲି କେହି ନାହିଁ ।

ଭଙ୍ଗା ଦଦରା ଚାଳ ଛପର ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ଜଙ୍ଗଲରୁ କାଠ ସଂଗ୍ରହ ଓ ପର ଘରେ କାମ କରି ସେଥିରୁ ଯାହା ମିଳେ ସେଇଥିରେ ଚଳନ୍ତି ବୃଦ୍ଧ ଦମ୍ପତି । ସରକାରୀ ସହାୟତା କହିଲେ କେବଳ ରାସନ କାର୍ଡ଼ରେ ମିଳୁଥିବା ଚାଉଳ । ନା ଏମାନଙ୍କୁ ଭତ୍ତା ମିଳୁଛି ନା ସରକାରୀ ଯୋଜନାରେ ଘର । ତେବେ ପୁଅ ବୋହୂ ପର କରି ଦେଇଥିବା ବେଳେ ଦୀର୍ଘ ବର୍ଷ ହେବ ଏପରି ଜୀବନ ବିତାଉଛନ୍ତି । ଘର ଓ ଭତ୍ତା ପାଇଁ ବାରମ୍ବାର ସରକାରୀ ବାବୁଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି ତାଙ୍କ ଦୁଃଖ ଶୁଣିନାହାନ୍ତି ।