ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି କରିଦେଲା ସୋସିଆଲ ମିଡିଆ ! ମୁମ୍ବାଇରୁ ଭୁଲରେ ଭୁବନେଶ୍ୱର ପଳାଇ ଆସିଥିଲେ ପତ୍ନୀ, ଫେସବୁକ ମାଧ୍ୟମରେ ଜଣାପଡିଲା ସ୍ୱାମୀଙ୍କ ଖବର

28

କନକ ବ୍ୟୁରୋ: ପତ୍ନୀଙ୍କୁ ସ୍ୱାମୀଙ୍କ ସହ ଯୋଡ଼ିଲା ଫେସବୁକ୍ । କିଛି ଦିନ ତଳେ ମୁମ୍ବାଇରୁ ହଜି ଯାଇଥିବା ପତ୍ନୀକୁ ଭୁବନେଶ୍ୱରରେ ପାଇଲେ ସ୍ୱାମୀ । ପତି-ପତ୍ନୀଙ୍କ ମିଳନ କରାଇଛି ଫେସବୁକ୍ ଓ ଭିଡିଓ କଲିଂ । ବିବାହର ୧୦ ବର୍ଷ ପରେ ଗତ ସପ୍ତାହରେ ସ୍ୱାମୀଙ୍କୁ ଛାଡି ମୁମ୍ବାଇରୁ ଭୁବନେଶ୍ୱର ଆସିଯାଇଥିଲେ ରଂଜିତା । ଏବେ ସେମାନଙ୍କୁ ମିଳାଇଛି ଫେସବୁକ୍ ।

ପତ୍ନୀଙ୍କୁ ସ୍ୱାମୀଙ୍କ ସହ ଯୋଡ଼ିଲା ଫେସବୁକ୍ । କିଛି ଦିନ ତଳେ ମୁମ୍ବାଇରୁ ହଜି ଯାଇଥିବା ପତ୍ନୀକୁ ଭୁବନେଶ୍ୱରରେ ପାଇଲେ ସ୍ୱାମୀ । ତାଙ୍କୁ ଯୋଡ଼ିଦେଲା- ଫେସବୁକ୍ ଓ ଭିଡିଓ କଲିଂ । ଏକ ସପ୍ତାହ ତଳେ ମୁମ୍ବାଇରୁ ଟ୍ରେନ୍ ଯୋଗେ ବାହାରିଆସିଥିବା ରଂଜିତା ପହଂଚିଥିଲେ ଭୁବନେଶ୍ୱରରେ । କେବଳ ଫେସବୁକ୍ ଓ ଭିଡିଓ କଲିଂ ଜରିଆରେ ହିଁ ସେ ଚିହ୍ନିପାରିଥିଲେ ନିଜ ସ୍ୱାମୀଙ୍କୁ ।

 

ସ୍ୱାମୀ-ସ୍ତ୍ରୀର ଝଗଡ଼ା ମଧ୍ୟରେ କିଛି ଦିନ ତଳେ ଘର ଛାଡ଼ି ଟ୍ରେନରେ ବସିଯାଇଥିଲେ ମୁମ୍ବାଇର ରଂଜିତା ଦେବୀ । ଅନ୍ୟମନସ୍କ ଭାବରେ ଚଢ଼ିଯାଇଥିଲେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଟ୍ରେନରେ । ଆଉ ଏପ୍ରିଲ ୧୧ ତାରିଖ ସକାଳେ ପହଂଚିଥିଲେ ଭୁବନେଶ୍ୱର ରେଳ ଷ୍ଟେସନରେ । ମାନସିକ ସନ୍ତୁଳନ ଠିକ୍ ନଥିବାରୁ ପ୍ରଥମେ ରଂଜିତା ନିଜ ପରିଚୟ ସଂପର୍କରେ କାହାକୁ କିଛି କହିପାରୁନଥିଲେ । ତାଙ୍କୁ ଉଦ୍ଧାର କରିଥିଲା ଭୁବନେଶ୍ୱର ଜିଆରପିଏଫ୍ ପୋଲିସ୍ ଆଉ ନେଇ ଛାଡ଼ିଥିଲା ଭୁବନେଶ୍ୱର ନିକଟବର୍ତୀ ଯାଁଆଁଳାରେ ଥିବା ‘ମିଶନ ଆଶ୍ରା’ର ପୁନର୍ବାସ କେନ୍ଦ୍ରରେ ।

ପ୍ରଥମ ଦୁଇ ଦିନ କିଛି କହିପାରୁନଥିବା ରଂଜିତା ଧୀରେ ଧୀରେ କିଛି କିଛି କଥା ମନେପକାଇ ପାରିଥିଲେ । ମିଶନ୍ ଆଶ୍ରାର ସାମାଜିକ କର୍ମୀମାନେ ତାଙ୍କୁ ଫେସ୍ବୁକ୍ରୁ ତାଙ୍କ ସ୍ୱାମୀଙ୍କ ଫଟୋ ପାଇବାରେ ସାହାଯ୍ୟ କରିଥିଲେ । ଏଥିସହ ଭିଡିଓ କଲିଂ ଜରିଆରେ ତାଙ୍କ ସ୍ୱାମୀଙ୍କ ସହ କଥା କରାଇଦେଇଥିଲେ । ଏହାପରେ ମୁମ୍ବାଇର ଏକ ଟେଲିଫୋନ୍ କମ୍ପାନୀରେ କାମ କରୁଥିବା ଅରବିନ୍ଦ ଛୁଟି ଆସିଥିଲେ ଭୁବନେଶ୍ୱର । ରବିବାର ପତ୍ନୀଙ୍କୁ ଘରକୁ ଫେରାଇ ନେବା ପାଇଁ ଭୁବନେଶ୍ୱରରେ ପହଁଚିଥିଲେ ।