ଆର୍ଥୀକ ଅଭାବରୁ ଆତ୍ମହତ୍ୟା : ଘରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କଲେ ବାପା’ମା, ଘର ବାହାରେ କାନ୍ଦି କାନ୍ଦି କବାଟ ପିଟିରହିଲା ବର୍ଷକର କୁନିଝିଅ

5,184

ତାଲାବନ୍ଦରେ ଚାଲିଗଲା ପରିବାର ମୁରବୀର ଚାକିରୀ , ପାରିବାରିକ ଜୀବନରେ କଳହ ସୃଷ୍ଟି କଲା ଅଭାବ । ବୈବାହିକ ଜୀବନର ବୁନିଆଦିକୁ ଭୁଲି କଅଁଳା ଛୁଆର ଭବିଷ୍ୟତକୁ ଭୃକ୍ଷେପ ନକରି ଆତ୍ମହତ୍ୟା ପନ୍ଥା ବାଛିଦେଲେ ବାପା’ମା । ଏଭଳି ଏକ ହୃଦବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ । ଲକ୍ଷ୍ନୌର ପ୍ରିନ୍ସ ବର୍ମା ଏକ ଔଷଧ କମ୍ପାନୀରେ ଚାକିରୀ କରୁଥିଲେ । କିନ୍ତୁ ଲକଡ଼ାଉନ୍ ସମୟରେ ତାଙ୍କର ଚାକିରୀ ଚାଲିଗଲା । ଘରେ ସ୍ତ୍ରୀ ରାଜେଶ୍ୱରୀ ଏବଂ ପ୍ରିନ୍ସଙ୍କ ଭିତରେ ସବୁବେଳେ ଏନେଇ ଝଗଡା ଲାଗୁଥିଲା । ଦୁଇବର୍ଷ ତଳେ ବିବାହ କରିଥିବା ଏହି ଦମ୍ପତି ବର୍ଷକ ତଳେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଲକଡ଼ାଉନ୍ ସମୟର ଅଭାବ ତାଙ୍କ ହସଖେଳର ସଂସାରରେ ନିଆଁ ଲଗାଇଦେଇଥିଲା ।

ଆର୍ଥିକ ପରିସ୍ଥିତି ଏବଂ ପ୍ରତିଦିନର ଝଗଡ଼ାକୁ ଦେଖି ଶନିବାର ପ୍ରିନ୍ସ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କୁ ଏଭଳି ଅବସ୍ଥାରେ ଦେଖି ବର୍ଷକର ଛୁଆ କଥା ନଭାବି ରାଜେଶ୍ୱରୀ ବି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଦୁଃଖଦ କଥା ହେଉଛି କି ଛୋଟ ଛୁଆଟି ପ୍ରାୟ ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଘର ବାହାରେ ଠିଆ ହୋଇ କବାଟ ବାଡ଼ାଉଥିଲା । ହେଲେ ସେ କ’ଣ ଜାଣିଥିଲା ଜୀବନ ଯୁଦ୍ଧରେ ହାରି ତା ବାପା’ମା ତାକୁ ସାତପର କରି ଆରପାରିକୁ ଚାଲିଯାଇଛନ୍ତି! ପଡ଼ୋଶୀ କୁନିଝିଅଟିର ଏଭଳି ଅବସ୍ଥା ଦେଖି କବାଟ ଭାଙ୍ଗିବା ପରେ ସତକଥା ପଦାକୁ ଆସିଥିଲା । ପୁଲିସ୍ ମୃତଦମ୍ପତୀଙ୍କ ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ସମର୍ପିତ କରିଥିଲେ । ଛୋଟଶିଶୁଟି ଏବେ ଜେଜେ,ଜେଜେମା’ଙ୍କ ପାଖରେ ଅଛି । ବାପା’ମା କ’ଣ ବୁଝିବା ପୂର୍ବରୁ ତା ଜୀବନରେ ଛେଉଣ୍ଡର ଶବ୍ଦ ଯୋଡିହୋଇଯାଇଛି ।