କନକ ବ୍ୟୁରୋ : ପାରିବାରିକ କଳହ ଓ ଆର୍ଥିକ ସମସ୍ୟାରୁ ସ୍ତ୍ରୀ ଓ କୁନି ଝିଅକୁ ଛାଡି କୁଆଡେ ଚାଲିଗଲେ ସ୍ୱାମୀ । କଟକରେ କାନ୍ଦି କାନ୍ଦି ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି ସ୍ତ୍ରୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକରେ କୃଷି ଅଧିକାରୀ ଭାବେ କାମ କରୁଥିବା ଦେବେନ୍ଦ୍ର ଘଡେଇ ୪ ଦିନ ହେଲା ନିଖୋଜ ଅଛନ୍ତି । ତାଙ୍କର କୌଣସି ଖୋଜଖବର ମିଳୁନାହିଁ । ମୋବାଇଲ ସୁଇଚଅଫ ଥିବାରୁ ତାଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରୁ ନାହିଁ ।

Advertisment

ଏ ନେଇ କଟକ ଜିଲ୍ଲା ନେମାଳ ଥାନାରେ ଜଣାଇଥିବା ତାଙ୍କ ସ୍ତ୍ରୀ ଯାଜ୍ଞସେନୀ  ବିଶ୍ୱାଳ କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଛନ୍ତି । ଏଥିସହ ଝିଅ ଓ ତାଙ୍କ ପାଖକୁ ଫେରି ଆସିବାକୁ ସେ ଭିଡିଓରେ ସ୍ୱାମୀଙ୍କୁ ନେହୁରା ହେଉଛନ୍ତି । ସୂଚନା ଅନୁସାରେ ବଲାଙ୍ଗୀରରୁ ୨୪ ତାରିଖରେ କଟକୁ ଆସିଥିଲେ ଦେବେନ୍ଦ୍ର ଘଡେଇ । ଏହାପରେ ସେ ନିଜ ପୈତୃକ ଗାଁ କଟକ ଜିଲ୍ଲାର ଓରତି ଗାଁକୁ ଯାଇଥିଲେ । ଗାଁରୁ ୨୬ ତାରିଖରେ ସେ ଯାଜ୍ଞସେନୀଙ୍କୁ ଫୋନ କରିଥିଲେ ।

ଏହା ପରଠୁ ତାଙ୍କ ଫୋନ ସୁଇଚଅଫ ହୋଇଗଲା ଓ ସେ ଘରକୁ ଫେରିନାହାନ୍ତି । ବନ୍ଧୁବାନ୍ଧବ ଓ ସଂପର୍କୀୟଙ୍କୁ ପଚରା ଉଚରା କଲେମଧ୍ୟ ତାଙ୍କ ଖୋଜ ଖବର ମିଳୁନାହିଁ । ୪ ବର୍ଷ କୁନି ଝିଅଙ୍କୁ ଧରି ଏବେ ଏକୁଟିଆ ଯାଜ୍ଞସେନୀ ବାର ଦୁଆର ହେଉଛନ୍ତି ।