ଘନୀଭୂତ ହେବ ନାହିଁ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ

ଆଇଏମଡି ମହାନିର୍ଦ୍ଦେଶକ କହିଲେ ଆଜି ଉତ୍ତର ଓଡ଼ିଶାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା; ୧୯ ଓ ୨୦ ତାରିଖରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଦେଲେ ସୂଚନା

473

କନକ ବ୍ୟୁରୋ : ଘନିଭୂତ ହେବନାହିଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ବର୍ତମାନ ଘୂର୍ଣ୍ଣିବଳୟଟି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଏହା ଉତ୍ତର ଓଡିଶା ଓ ଛତିଶଗଡ ଦେଇ ଗତି କରିବ । ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୧୯-୨୦ ତାରିଖରେ ଏହା ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରିପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ । ଏଣୁ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କିନ୍ତୁ ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡ଼ିଶାର କିଛି କିଛି ଅଞ୍ଚଳ‌ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ୧୯ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ୨୦ ତାରିଖ ଦିନ ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସୋନପୁର ଆ‌ଦି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ରାଜ୍ୟରେ ବର୍ଷା ବଢ଼ିବା ଆରମ୍ଭ କରିବ । ବିଶେଷ କରି ଉତ୍ତର ଉପକୂଳରେ ବର୍ଷା ପରିମାଣ ଅଧିକ ରହିବ । ୧୯ ଓ ୨୦ ତାରିଖ‌ରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାକୁ ଛାଡ଼ିଲେ ସାରା ରାଜ୍ୟରେ ବର୍ଷା ହେବ । ଏଥିସହ ୧୯ ତାରିଖ ଆଡ଼କୁ ମୌସୁମୀ ଟ୍ରଫ୍‌ ସହ ଏହି ଲଘୁଚାପ କ୍ଷେତ୍ର ମିଶିଯିବ; ତେବେ ଏହା ଅଧିକ ଘନୀଭୂତ ହେବ ନାହିଁ। ଫଳରେ ରାଜ୍ୟରେ ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମ ଧରଣର ବର୍ଷା ହେବ ।